
ନୟାଗଡ଼ (ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଗୁରୁବାର ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଓ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଘଣ୍ଟା ଘଣ୍ଟା, ଖୋଳ, ଗିନି ବାଦ୍ୟ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା । ମନ୍ଦିର ଟ୍ରଷ୍ଟ ର ସ୍ଥାୟୀ ସଭାପତି ଶିଶିର କୁମାର ସାହୁ ଙ୍କୁ ସେବକମାନେ ରାଜା ବେଶରେ ସଜାଇ ପଟୁଆର କରି ରଥ ନିକଟକୁ ପାଛୋଟି ଆଣି ଥିଲେ । ରାଜା ରଥରେ ଛେରା ପହଁରା କରିବା ସହ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଓ ମହାପ୍ରଭୂଙ୍କ ପୂଜାର୍ଚ୍ଚନା କରିଥିଲେ । ଘୋଷଯାତ୍ରା କି ଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥି ପାଇଁ ରାଜା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପରେ ଚାରମାଳ ଓ ଘୋଡା ଲାଗିବା ପରେ ରଥ ଉପରେ ବିଶ୍ୱକର୍ମା ଓ ଡାହୁକଙ୍କୁ ସମ୍ବର୍ଦ୍ଧିତ କରାଯାଇ ରଥଯାତ୍ରା ଆରମ୍ଭ କରାଯାଇଥିଲା । ଏହି ରଥଯାତ୍ରା ଜଗନ୍ନାଥଙ୍କ ମନ୍ଦିର ପରିସରରୁ ବାହାରି ଗୋପୀନାଥ ପୁର ସାହି, ଏକଡାଳିଆ ସାହି, ରାଧାବଲ୍ଳଭପୁର ସାହି ,ସୁନାଖଳା ସାହି ଏବଂ ଦୁର୍ଗା ବଜାର ଦେଇ ବଣିଆ ସାହିସ୍ଥିତ ମାଉସୀ ମା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୭ ଗୋଟି ମହିଳା ଓ ପୁରୁଷ ସଙ୍କୀର୍ତ୍ତନ ମଣ୍ଡଳୀ, ଗୌଡ଼ବାଡି, ପୁରୀ ସହିଯାତ, ଗୋଟିପୁଅ ନୃତ୍ୟ ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ଯ ମନ୍ଦିର କମିଟି ପକ୍ଷରୁ ଅୟୋଜନ ହୋଇଥିଲା। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ରଣପୁର ଥାନା ଓ ରାଜସୁନାଖଳା ଫାଣ୍ଡି ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉପସ୍ଥିତ ରହିଥିଲେ।ଆଖପାଖ ଗ୍ରାମରୁ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ହରିବୋଲ ହୁଳହୁଳି ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବ ବିଭୋର ହୋଇ ଜୟ ଜଗନ୍ନାଥ ଧ୍ବନିରେ ଚତୁର୍ଦ୍ଧିଗ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ଜଗନ କୁମାର ନାୟକ, ରାଜସୁନାଖଳା ଗ୍ରାମବାସୀ ଓ କମିଟିର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।
