
କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଏହି ସ୍ମାରକପତ୍ର ଉପରେ ଯୁକ୍ତିଯୁକ୍ତ କାରଣ ସହ ନିଷ୍ପତ୍ତି ନେବାସହ ଏହାର ୧୦ଦିନ ମଧ୍ୟରେ ଆବେଦନକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ତୁଷାରକାନ୍ତ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଏହି ଆଦେଶ ଦେଇଛନ୍ତି। ଆବେଦନକାରୀ ୩୫ବର୍ଷ ନିରବଚ୍ଛିନ୍ନ ଭାବେ ଚାକିରିରେ ରହିଥିଲା ବେଳେ ତାଙ୍କୁ ଅବସର ପରେ ପେନ୍ସନ୍ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ମିଳିଲା ନାହିଁ। ଏନେଇ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କ ଦାବିପତ୍ର କର୍ଣ୍ଣପାତ କରାଗଲା ନାହିଁ। ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କୁ ପେନ୍ସନ୍ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ଲାଗି ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ପ୍ରାର୍ଥନାକୁ ଗ୍ରହଣ କରି ଉପରୋକ୍ତ ଆଦେଶ ଦେଇଛନ୍ତି।
