ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ଚିଠି

add-all

ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ (ଡିସିଏଚ୍‌ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପରିଷଦର ସିଡିଓ-ତଥା-ଇଓ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ମାନଙ୍କୁ ଚିଠି ଜାରି କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ସୂର୍ଯ୍ୟ ନାରାୟଣ ଦାଶ ଜାରି କରିଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଭାରତ ସରକାରଙ୍କ ଜନଗଣନା ପରିଚାଳନା ଓ ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକଙ୍କ ଅନୁରୋଧ କ୍ରମେ ଏହି ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଉଛି । ତେଣୁ ଅଧୀନସ୍ଥ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ଏହି କାର୍ଯ୍ୟ ସମ୍ପର୍କରେ ସଚେତନ କରିବା ସହ ଜନଗଣନା କର୍ତ୍ତୃପକ୍ଷ ଆବଶ୍ୟକ ପଡ଼ିଲେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କୁହାଯାଇଛି ।

ଜନଗଣନା ବିଭାଗ ସୂଚନା ଦେଇଛି ଯେ, ଡିଷ୍ଟ୍ରିକ୍ଟ ସେନ୍ସସ୍‌ ହ୍ୟାଣ୍ଡବୁକ୍‌ (DCHB) ହେଉଛି ଜନଗଣନାର ଏକ ପ୍ରମୁଖ ପ୍ରକାଶନ । ଏଥିରେ ପ୍ରତ୍ୟେକ ଗାଁ ଓ ସହର ସମ୍ବନ୍ଧୀୟ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, ପରିବହନ, ଯୋଗାଯୋଗ, ପରିମଳ ବ୍ୟବସ୍ଥା, ନାଗରିକ ସୁବିଧା ଓ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ସୂଚନା ସ୍ଥାନ ପାଇଥାଏ । ଏହି ତଥ୍ୟ ସରକାରୀ ଯୋଜନା ପ୍ରସ୍ତୁତି, ପ୍ରଶାସନିକ କାର୍ଯ୍ୟ, ଗବେଷଣା ଓ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବେ ବ୍ୟବହୃତ ହୁଏ ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜନଗଣନା-୨୦୨୭ ପାଇଁ ଗ୍ରାମ ଓ ସହର ନିର୍ଦ୍ଦେଶିକା ତଥ୍ୟ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍‌ ମାଧ୍ୟମରେ ସଂଗ୍ରହ କରାଯିବ । ଏଥିପାଇଁ ୩୧ ଡିସେମ୍ବର ୨୦୨୫କୁ ରେଫରେନ୍ସ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଗ୍ରାମ ଓ ସହରରେ ଉପଲବ୍ଧ ବିଭିନ୍ନ ସରକାରୀ ସୁବିଧା ଏବଂ ସେବା ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରାଯିବ । କ୍ଷେତ୍ରସ୍ତରରେ ତଥ୍ୟ ସଂଗ୍ରହ ଓ ସତ୍ୟାପନର ଦାୟିତ୍ୱ ମୁଖ୍ୟତଃ ରାଜସ୍ୱ ବିଭାଗ ଓ ନିଯୁକ୍ତ ଚାର୍ଜ ଅଫିସରମାନଙ୍କ ଉପରେ ରହିବ ।

ତେବେ ଅନେକ ତଥ୍ୟ ବିଭିନ୍ନ ବିଭାଗ ସହ ଜଡ଼ିତ ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିଜ ଅଧୀନସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ଏହି କାର୍ଯ୍ୟ ପ୍ରତି ସଚେତନ କରିବା, ବିଭାଗୀୟ ତଥ୍ୟର ସତ୍ୟାପନ, ଆବଶ୍ୟକ ସ୍ପଷ୍ଟୀକରଣ ପ୍ରଦାନ, କ୍ଷେତ୍ରସ୍ତରୀୟ ଯାଞ୍ଚରେ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।

କେନ୍ଦ୍ର ସରକାର ଏହି କାର୍ଯ୍ୟରେ ରାଜସ୍ୱ, ଗୃହ ଓ ନଗର ଉନ୍ନୟନ, ଅର୍ଥ, ଜଙ୍ଗଲ ଓ ପରିବେଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ପରିବହନ, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, କୃଷି, କ୍ରୀଡ଼ା, ସମବାୟ, ଶିଳ୍ପ ସମେତ ବିଭିନ୍ନ ବିଭାଗର ସହଯୋଗ ଲୋଡ଼ିଛି। ସମନ୍ୱିତ ଉଦ୍ୟମ ଦ୍ୱାରା ହିଁ ଏକ ସଠିକ୍‌, ନିର୍ଭରଯୋଗ୍ୟ ଏବଂ ସମ୍ପୂର୍ଣ୍ଣ ତଥ୍ୟଭଣ୍ଡାର ପ୍ରସ୍ତୁତ ହୋଇପାରିବ, ଯାହା ଭବିଷ୍ୟତରେ ରାଜ୍ୟର ବିକାଶ ଯୋଜନା ପ୍ରସ୍ତୁତି ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣରେ ସହାୟକ ହେବ ବୋଲି ଜନଗଣନା ବିଭାଗ ଦର୍ଶାଇଛି ।

ad-week
Leave A Reply

Your email address will not be published.