“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, ଆସନ୍ତା କାଲି ପ୍ରଥମ ବୈଠକ

add-all

ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍‌, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ ତଳେ ଆଣିବା ପାଇଁ ରାଜ୍ୟ ସରକାର ‘ଷ୍ଟେଟ୍ ସ୍ପେଶାଲ ସେଲ୍ ଗଠନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ ପରେ ରାଜ୍ୟ ପ୍ରଶାସନ ଏଦିଗରେ ଆଗକୁ ବଢ଼ିଛି ।

ମୁଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୮ ମାର୍ଚ୍ଚ ୨୦୨୬ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଖକୁ ଏନେଇ ଏକ କନ୍‌ସେପ୍ଟ ନୋଟ୍ ପଠାଇ ପ୍ରସ୍ତାବ ରଖିଥିଲେ । ଏହି ସେଲ୍ ଗଠନ ପାଇଁ ପ୍ରଥମ ପ୍ରସ୍ତାବ ଦିଆଯାଇଥିଲା । ପରେ ଏହାର କନ୍‌ସେପ୍ଟ ନୋଟ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ବିଭାଗର ମତାମତ ଗ୍ରହଣ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଭିଜନ-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ ପାଇଁ ଆଗାମୀ ବର୍ଷଗୁଡ଼ିକରେ ପରିବହନ, ସହରୀ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି ଓ ଶିଳ୍ପ କ୍ଷେତ୍ରରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ହାତକୁ ନିଆଯିବ । କିନ୍ତୁ ବର୍ତ୍ତମାନ ବିଭିନ୍ନ ବିଭାଗ ପୃଥକ୍ ପୃଥକ୍ ପରାମର୍ଶଦାତାଙ୍କ ମାଧ୍ୟମରେ ଡିପିଆର୍ ପ୍ରସ୍ତୁତ କରୁଥିବାରୁ ଡିଜାଇନ୍‌, ବ୍ୟୟ ଆକଳନ, ବୈଷୟିକ ମାନଦଣ୍ଡ ଓ ଯୋଜନା ପ୍ରଣାଳୀରେ ଅସମାନତା ଦେଖାଦେଉଛି । ଏହା ଯୋଗୁଁ ପ୍ରକଳ୍ପ ବିଳମ୍ବ, ବ୍ୟୟ ବୃଦ୍ଧି ଓ ଗୁଣବତ୍ତା ସମସ୍ୟା ସୃଷ୍ଟି ହେଉଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି ।

ଏହି ସମସ୍ୟାର ସମାଧାନ ପାଇଁ ଗଠନ ହେବାକୁ ଥିବା ଷ୍ଟେଟ୍ ସ୍ପେଶାଲ ସେଲ୍ ଏକ କେନ୍ଦ୍ରୀୟ ବୈଷୟିକ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଯୋଜନା, ଡିପିଆର୍ ପ୍ରସ୍ତୁତି ଓ ଯାଞ୍ଚ, ଡିଜାଇନ୍‌ ମୂଲ୍ୟାଙ୍କନ, ବ୍ୟୟ ଯୁକ୍ତିସଙ୍ଗତକରଣ, ନିର୍ମାଣ ଗୁଣବତ୍ତା ନିଶ୍ଚିତକରଣ ଓ ପ୍ରକଳ୍ପ ନିରୀକ୍ଷଣ କରିବ । ଏହାସହ ସମସ୍ତ ବିଭାଗ ପାଇଁ ସମାନ ଡିପିଆର୍ ଫର୍ମାଟ୍‌, ଡିଜାଇନ୍‌ ମାନଦଣ୍ଡ, କଷ୍ଟିଂ ପଦ୍ଧତି, ଷ୍ଟାଣ୍ଡାର୍ଡ ଟେମ୍ପ୍ଲେଟ୍‌, ରେଟ୍‌ ବ୍ୟାଙ୍କ ଓ ପ୍ରଯୁକ୍ତିଗତ ନିର୍ଦ୍ଦେଶିକା ପ୍ରସ୍ତୁତ କରାଯିବ ।

ଏଥିରେ ଏନ୍‌ଭିଜନିଂ (ଦୀର୍ଘମିଆଦି ଭିତ୍ତିଭୂମି ପରିକଳ୍ପନା ୱିଙ୍ଗ୍), ପ୍ଲାନିଂ ଆଣ୍ଡ ମନିଟରିଂ ୱିଙ୍ଗ୍‌, ଆର୍କିଟେକ୍ଚରାଲ୍ ୱିଙ୍ଗ୍‌, ଡିପିଆର୍ ପ୍ରସ୍ତୁତି ଓ ସମୀକ୍ଷା ୱିଙ୍ଗ୍‌, ଷ୍ଟ୍ରକ୍ଚରାଲ୍ ଡିଜାଇନ୍ ୱିଙ୍ଗ୍‌, ଟ୍ରେନିଂ ୱିଙ୍ଗ୍‌ ଏବଂ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ୱିଙ୍ଗ୍‌ ଭଳି ସ୍ୱତନ୍ତ୍ର ଶାଖା ରହିବ। ଏହି ସେଲ୍‌ରେ କୃତ୍ରିମ ବୁଦ୍ଧିମତ୍ତା (AI), ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ (BIM), ଜିଆଇଏସ୍‌, ଡିଜିଟାଲ୍ ଟ୍ୱିନ୍‌, ଡ୍ରୋନ୍ ସର୍ଭେ, ଡିଜିଟାଲ୍ ସିମୁଲେସନ୍‌ ଓ ଆଧୁନିକ ଇଞ୍ଜିନିୟରିଂ ପ୍ରଯୁକ୍ତିର ବ୍ୟବହାର କରାଯିବ ।

ସେଲ୍‌ଟି କେବଳ ଡିଜାଇନ୍‌ ଓ ଡିପିଆର୍ ଯାଞ୍ଚରେ ସୀମିତ ରହିବ ନାହିଁ । ସରକାରୀ ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ନିୟମିତ ପ୍ରଶିକ୍ଷଣ, ସମ୍ପୂର୍ଣ୍ଣ ଗୁଣବତ୍ତା ପରିଚାଳନା (TQM), ନୂତନ ନିର୍ମାଣ ପ୍ରଯୁକ୍ତି ଓ ଜଳବାୟୁ ସହନଶୀଳ ଭିତ୍ତିଭୂମି ଉପରେ ଗବେଷଣାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ପ୍ରକଳ୍ପର ଡିଜାଇନ୍‌, ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିର ଗୁଣବତ୍ତା ଯାଞ୍ଚ ପାଇଁ କ୍ୱାଲିଟି ଆସ୍ୟୁରାନ୍ସ ଏବଂ ଟେକ୍ନିକାଲ୍ ଅଡିଟ୍ ବ୍ୟବସ୍ଥା ମଧ୍ୟ ରହିବ।

ଗବେଷଣା ଓ ବୈଷୟିକ କ୍ଷମତା ବୃଦ୍ଧି ପାଇଁ ଆଇଆଇଟି ଭୁବନେଶ୍ୱର, ଏନ୍‌ଆଇଟି ରାଉରକେଲା, ବିପିୟୁଟି, ଆଉଟର୍ ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭଳି ଅଗ୍ରଣୀ ଅନୁଷ୍ଠାନ ସହ ସହଯୋଗ କରାଯିବ । ଏହାଦ୍ୱାରା ଗବେଷଣା, ବୈଷୟିକ ପରାମର୍ଶ ଓ ଇଞ୍ଜିନିୟରିଂ କ୍ଷମତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ ।

ସରକାରଙ୍କ ଆକଳନ ଅନୁସାରେ, ଷ୍ଟେଟ୍ ସ୍ପେଶାଲ ସେଲ୍ କାର୍ଯ୍ୟକ୍ଷମ ହେଲେ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ଓ ନିର୍ମାଣରେ ଏକରୂପତା ଆସିବ, ପ୍ରକଳ୍ପ ବିଳମ୍ବ ଓ ବ୍ୟୟ ବୃଦ୍ଧି କମିବ, ସରକାରଙ୍କ ନିଜସ୍ୱ ବୈଷୟିକ ଦକ୍ଷତା ବଢ଼ିବ, ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ସୁଦୃଢ଼ ହେବ ଏବଂ ରାଜ୍ୟରେ ବୈଜ୍ଞାନିକ, ଟିକାଉ ଓ ଗୁଣାତ୍ମକ ଭିତ୍ତିଭୂମି ବିକାଶକୁ ନୂଆ ଦିଗ ମିଳିବ ।

ad-week
Leave A Reply

Your email address will not be published.