
ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଗତକାଲି (ଗୁରୁବାର) ପ୍ରଥମ ଦିନରେ ତିନି ରଥ ଟଣା ଆରମ୍ଭ ହୋଇଥିଲା । କିଛି ବାଟ ଯିବା ପରେ ତିନିଟି ଯାକ ରଥ ବଡ଼ଦାଣ୍ଡରେ ଅଟକି ରହିଥିଲେ । ଆଜି ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ ହୋଇଥିଲା । ଆଜି ସକାଳେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା। ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରଚିକୋଟ ଛକରୁ ଗଡ଼ିବା ଆରମ୍ଭ କରିଥିଲା। ହରିବୋଲରେ ବଡଦାଣ୍ଡ କମ୍ପି ଉଠିଥିଲା ଓ ଭକ୍ତମାନେ ଅପାର ଭକ୍ତିଭାବରେ ରଥ ଟାଣିଥିଲେ। ଉକ୍ତ ଦୁଇ ରଥ ଢେର ସମୟ ଆଗରୁ ପହଞ୍ଚିଥିଲେ।
ଶେଷରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିବା ଆରମ୍ଭ କରିଥିଲା। କାଲି ମାତ୍ର ଦୁଇ ହାତ ଗଡ଼ି ଅଟକିରହିଥିଲା ନନ୍ଦିଘୋଷ। ହେଲେ ଆଜି ଅଝଟ ନ ହୋଇ ଯଥା ସମୟରେ ପହଞ୍ଚିଛନ୍ତି ମହାବାହୁ। ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତୀଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ।
