ରାଇଘରରେ ଭକ୍ତି ଓ ଉତ୍ସାହର ସହ ରଥଯାତ୍ରା : ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜୀଉ

add-all

ଉମରକୋଟ /ରାଇଘର : ରାଇଘର ଅଞ୍ଚଳରେ ଆଜି ଅପାର ଭକ୍ତି, ଆନନ୍ଦ ଓ ଉଲ୍ଲାସର ପରିବେଶ ମଧ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଛି। ଗତକାଲି ରଥ ଟାଣିବା ସମୟରେ ହଠାତ୍ ରଥର ଏକ ଚକା ଭାଙ୍ଗିଯିବାରୁ ରଥଟି ଅଧା ବାଟରେ ଅଟକି ରହିଥିଲା। ସେହି ସମୟରେ ବର୍ଷା ପାଗ ଲାଗି ରହିଥିବାରୁ ଓ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ କମିଟି ଓ ସେବାୟତମାନେ ରଥ ଟାଣିବା କାର୍ଯ୍ୟକୁ ଆଜି ପାଇଁ ସ୍ଥଗିତ କରିଥିଲେ।
ଆଜି ସକାଳୁ ରଥର ମରାମତି ସମ୍ପୂର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ଘୋଷଯାତ୍ରା ଆରମ୍ଭ ହୋଇଥିଲା। ରାଇଘର ଅଞ୍ଚଳ ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଭକ୍ତିର ଉତ୍ସାହରେ ରଥ ଟାଣିଥିଲେ। “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଭଜନ, କୀର୍ତ୍ତନ, ନୃତ୍ୟ ଓ ହରିନାମ ସଙ୍କୀର୍ତ୍ତନରେ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଛୋଟରୁ ବଡ଼, ମହିଳା, ପୁରୁଷ ଓ ଯୁବବର୍ଗ ସମସ୍ତେ ଅପାର ଭକ୍ତିଭାବରେ ରଥର ଦଉଡ଼ି ଧରି ପ୍ରଭୁଙ୍କ ରଥକୁ ଟାଣି ମାଉସୀ ମା’ ମନ୍ଦିରରେ ପହଞ୍ଚାଇଥିଲେ। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ପ୍ରଭୁଙ୍କ ରଥ ଟାଣିବା ଦ୍ୱାରା ପୁଣ୍ୟଲାଭ ହୋଇଥାଏ ଏବଂ ଜୀବନରେ ସୁଖ, ଶାନ୍ତି ଓ ମଙ୍ଗଳ ପ୍ରାପ୍ତ ହୁଏ।
ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର କମିଟି, ସେବାୟତ, ସ୍ୱେଚ୍ଛାସେବୀ, ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଗତକାଲିର ବାଧା ସତ୍ତ୍ୱେ ଆଜି ଭକ୍ତମାନଙ୍କ ଅଦମ୍ୟ ଆସ୍ଥା ଓ ଜଗନ୍ନାଥଙ୍କ ଅପାର ମହିମାରେ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭକ୍ତି, ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବର ଏହି ଅନନ୍ୟ ଦୃଶ୍ୟ ରାଇଘର ରଥଯାତ୍ରାକୁ ଚଳିତ ବର୍ଷ ଅଧିକ ସ୍ମରଣୀୟ କରିଦେଇଛି।

ad-week
Leave A Reply

Your email address will not be published.