
ନୟାଗଡ଼ (ନିସର୍ତ୍ତ) : ରାଜାରାଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ନୟାଗଡ ଜିଲ୍ଲା ଦ୍ଵିତୀୟ ଶ୍ରୀ କ୍ଷେତ୍ର ରୂପେ ପରିଚିତ ରଣପୁରରେ ପାଳନ ହୋଇଆସୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର, ନେତ୍ରୋତ୍ସବ ସମେତ ବିଭିନ୍ନ ନାତିନାନ୍ତି ମନ୍ଦିରରେ ସମ୍ପନ୍ନ ହେବା ପରେ ଶ୍ରୀଜୀଉମାନେ ବଡ଼ଦାଣ୍ଡରେ ସୁସଜ୍ଜିତ ତିନି ରଥରେ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ଗହଳି ମଧ୍ୟରେ ଗୁରୁବାର ଦିନ ତାଳଧ୍ବଳ ରଥ ଟଣାଯାଇଥିବା ବେଳେ ମହିଳାମାନଙ୍କ ଦ୍ବାରା ସୁଭଦ୍ରାଙ୍କ ଦେବୀଦଳନ ରଥ ଟଣାଯାଇ ମାଉସୀ ମା’ଙ୍କ ରଥଖଳାରେ ଲାଗିଥିଲା। ଅନ୍ୟପକ୍ଷରେ ଆଜି ପ୍ରତିକୂଳ ପାଗ ସତ୍ତ୍ୱେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖଳାରୁ ଶୁକ୍ରବାର ଦିନ ଅପରାହ୍ନ ସମୟରେ ହଜାର ହଜାର ଭକ୍ତମାନଙ୍କ ଦ୍ଵାରା ଟଣାଯାଇଥିଲା । ଆଜିର ମେଘୁଆ ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ରଥରୂଢ଼ ଶ୍ରୀଜୀଉଙ୍କ ଦର୍ଶନ କରି ଭାବବିହ୍ବଳ ହୋଇପଡ଼ିଥିଲେ।
ତହସିଲଦାରଙ୍କ ସମେତ ପୋଲିସ ଓ ମନ୍ଦିର ପ୍ରଶାସନର ନେତୃତ୍ବରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ରଥଖଳା ନିକଟରେ ପହଞ୍ଚିଥିଲା ଏବଂ ସମଗ୍ର ରଥଯାତ୍ରା ସୁରୁଖୁରୁରେ ପରିଚାଳିତ ହୋଇଥିଲା | ଶ୍ରୀଗୁଣ୍ଡିଚାରେ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦଙ୍କ ପ୍ରତିନିଧ ପ୍ରିୟବ୍ରତ ପ୍ରହରାଜଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇ ରଥ ଟାଣିଥିଲେ । ରଥଯାତ୍ରାରେ ବିପୁଳ ଜନସମାଗମ ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶ ପରିଲକ୍ଷିତ ହୋଇଥିଲା ।
