
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ନବ ନିର୍ମିତ ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ସହିତ କଲ୍ୟାଣୀ ମଣ୍ଡପ, ବିଜୁ ଆଦର୍ଶ କଲୋନୀ, ପରିମଳ ଉପଚାର କେନ୍ଦ୍ର, ଗଣେଶ ବଜାର ମଧ୍ୟସ୍ଥ ୧୮ ନବୀକରଣ ଦୋକାନ ଗୃହ ସହିତ ସମୁଦାୟ ୮ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଅଛି।ପୁରୀ ଲୋକସଭା ସାଂସଦ ଡ଼ା ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପରେ ଓଡ଼ଗାଁ ବ୍ଲକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ଜନ ସଭାକୁ ନଗରବସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଥିଲେ।ବିଜେଡି ସରକାର ସମୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ସାହୁ ଜନ ସଭାରେ ସୂଚନା ଦେଇଥିବା ବେଳେ ସ୍ଥାୟୀ ଭିତ୍ତିଭୂମିର ସୁରକ୍ଷା ଆପଣ ମାନଙ୍କର ଦାୟିତ୍ଵ ବୋଲି ସାଂସଦ ସମ୍ବିତ ପାତ୍ର ନଗରବସୀଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା, ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀ ପ୍ରମୁଖ ଏହି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ।
