ଖୋଲା ଆକାଶ ତଳେ ନଷ୍ଟ ହେଉଛି ଜୀବିକା: ଚିତ୍ରକୋଣ୍ଡାରେ ୬ ମାସ ହେଲା ବଣ୍ଟା ହେଉନି ମାଗଣା ଡଙ୍ଗା

add-all

ଚିତ୍ରକୋଣ୍ଡା (ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଶତାଧିକ ମତ୍ସ୍ୟଜୀବୀ ପରିବାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ସେତୁ ଯୋଜନା’ରେ ମାଗଣା ଡଙ୍ଗା ଯୋଗାଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ନିର୍ମାଣ କାର୍ଯ୍ୟ ସରିବାର ୬ ମାସ ବିତିଯାଇଥିଲେ ମଧ୍ୟ ଏହା ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନାହିଁ। ଫଳରେ ପ୍ରାୟ ୨୫୦ରୁ ଅଧିକ ନୂତନ ଡଙ୍ଗା ଏବେ ଖୋଲା ଆକାଶ ତଳେ ଖରା-ବର୍ଷାରେ ପଡ଼ି ନଷ୍ଟ ହେବାକୁ ବସିଲାଣି, ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଚିତ୍ରକୋଣ୍ଡା ବ୍ଲକ ମତ୍ସ୍ୟ ବିଭାଗ ଅଧୀନରେ ଥିବା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ପିପଲାପଦର, ଚିତ୍ରକୋଣ୍ଡା ବ୍ଲକର ସ୍ପିଲବାଇ ଏବଂ ବଡପଦର ପଞ୍ଚାୟତର ଜାନବାଇ କଲୋନୀ ନିକଟରେ ଶତାଧିକ ଡଙ୍ଗା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି।

ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ, ପ୍ରତି ଡଙ୍ଗା ପାଇଁ ପ୍ରାୟ ୪୧ ହଜାର ଟଙ୍କା ବ୍ୟୟରେ ୨୫୦ରୁ ୩୦0ଟି ଡଙ୍ଗା ନିର୍ମାଣ ଲାଗି ତିନୋଟି ଠିକା ସଂସ୍ଥାକୁ ଅନୁମତି ମିଳିଥିଲା:

  • ସ୍ପିଲବାଇ: ମା’ ତାରିଣୀ ଏଣ୍ଟରପ୍ରାଇଜର୍ସ
  • ଜାନବାଇ: ମହାବୀର ବଡ଼ବିଲ
  • ପିପଲପଦର: ଓଁ ସାଇ ଏଣ୍ଟରପ୍ରାଇଜର୍ସ

ଉକ୍ତ ସଂସ୍ଥାଗୁଡ଼ିକ ୬ ମାସ ପୂର୍ବରୁ କାମ ସାରିଦେଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଏହା ମତ୍ସ୍ୟଜୀବୀଙ୍କ ପାଖକୁ ପହଞ୍ଚିପାରି ନାହିଁ।

ଏହି ଯୋଜନା ଅଧୀନରେ ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ସୋସାଇଟିର ସଦସ୍ୟମାନଙ୍କୁ ଡଙ୍ଗା ସହ ଲାଇଫ୍ ଜାକେଟ୍, ଆହୁଲା, ଜାଲ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ମିଳିବାର ପ୍ରାବଧାନ ରହିଛି। ଏହି ସୋସାଇଟିଗୁଡ଼ିକ ମଧ୍ୟରେ ଅଛନ୍ତି: ଆଲମପାକା, ମା’ ଭୈରବୀ, କାଳିଆ ଘାଟ, ଗଙ୍ଗା ଦେବୀ, ମା’ ତାରିଣୀ, ଜୟ ଜଗନ୍ନାଥ, ମା’ ଜୟଶ୍ରୀ, ମା’ ଦୁର୍ଗା (ପିଏଫସିଏସ), ଗୁରୁପ୍ରିୟା, ସ୍ୱାଭିମାନ, ଚମ୍ପାନଦୀ ଏବଂ ସୁଡେଙ୍ଗେଶ୍ୱର ମତ୍ସ୍ୟଜୀବୀ ସୋସାଇଟି।

ବର୍ଷା ଋତୁ ଅଧା ବିତିଯାଇଥିଲେ ସୁଦ୍ଧା ସାମଗ୍ରୀ ନମିଳିବାରୁ ସେମାନେ ଜଳଭଣ୍ଡାରରୁ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଚିତ୍ରକୋଣ୍ଡା ମତ୍ସ୍ୟ ବିଭାଗର ଅଧିକାରୀ ମନୋଜ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, “ଡଙ୍ଗା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଉଛି। ମନ୍ତ୍ରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ଖୁବ୍ ଶୀଘ୍ର ହିତାଧିକାରୀଙ୍କୁ ଡଙ୍ଗା ବଣ୍ଟନ କରାଯିବ।”

ଦାବି: ନେତା ଓ ମନ୍ତ୍ରୀଙ୍କ ସମୟ ଅପେକ୍ଷାରେ ନ ରହି, ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାର ସ୍ୱଚ୍ଛ ତଦନ୍ତ କରୁ ଏବଂ ମତ୍ସ୍ୟଜୀବୀଙ୍କ ଜୀବିକାକୁ ଗୁରୁତ୍ୱ ଦେଇ ଅତିଶୀଘ୍ର ଡଙ୍ଗା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

ad-week
Leave A Reply

Your email address will not be published.