ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି : ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବାକୁ ଏସଇସିଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ୱର : ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି । ଜିଲ୍ଲାପାଳଙ୍କ ସହ ଏସ୍ ଇସିଙ୍କ ଭିଡିଓ ବୈଠକ । ଘରକୁ ଘର ସର୍ଭେ ନେଇ ଏସ୍ ଇସିଙ୍କ ଭିସି । ଭୋଟର ତାଲିକା ହେବ ତ୍ରୁଟିମୁକ୍ତ । ଏସ୍ ଇସି ଦେଲେ ବଡ଼ ନିର୍ଦ୍ଦେଶ । ୨୦୨୭ରେ ହେବାକୁ ଥିବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ପାଇଁ ନିର୍ଭୁଲ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଘରକୁ ଘର ସର୍ବେକ୍ଷଣ କରାଯିବ। ଏହାର ରୂପରେଖା ଚୂଡ଼ାନ୍ତ କରିବାକୁ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଭିଡିଓ କନ୍ ଫରେନ୍ସ ଆୟୋଜିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ଓସ୍ ୱାନ୍ ପ୍ଲାଟଫର୍ମ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ପ୍ରସ୍ତାବିତ ଘରକୁ ଘର ସର୍ବେକ୍ଷଣ, ନୂତନ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଏବଂ ତୃଣମୂଳସ୍ତରରେ ଭୋଟରଙ୍କ ତଥ୍ୟ ଯାଞ୍ଚ ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଭୋଟର ତାଲିକାରେ ଥିବା ତ୍ରୁଟି, ଦ୍ୱିତୀୟ ନାମ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ଚିହ୍ନଟ କରିବା ସହ ଯୋଗ୍ୟ ନୂତନ ଭୋଟରଙ୍କୁ ସାମିଲ କରିବାକୁ ସଠିକ୍ କ୍ଷେତ୍ରସ୍ତରୀୟ ଯାଞ୍ଚ ଉପରେ ଆୟୋଗ ଗୁରୁତ୍ୱ ଦେଇଛି । ଏହାଦ୍ୱାରା ୨୦୨୭ର ସ୍ଥାନୀୟ ନିର୍ବାଚନକୁ ଅଧିକ ସ୍ୱଚ୍ଛ, ଅବାଧ ଓ ସମାବେଶୀ କରାଯାଇପାରିବ ବୋଲି ଆୟୋଗ ମତ ପ୍ରକାଶ କରିଛି । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ନିଜ ଜିଲ୍ଲାର ଓସ୍ ୱାନ୍ କେନ୍ଦ୍ରରୁ ବୈଠକରେ ଯୋଗଦେବାକୁ କୁହାଯାଇଥିଲା । ସେମାନଙ୍କ ସହ ଏଡିଏମ୍ ତଥା ୟୁଏଲ୍ ବି ନୋଡାଲ ଅଫିସର, ଇଆର୍ ଓ, ଏଇଆର୍ ଓ ଏବଂ ସମ୍ପୃକ୍ତ ଡେପୁଟି କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନେ ମଧ୍ୟ ଯୋଗଦେଇଥିଲେ । ବୈଠକରେ ୨୦୨୨ ପୌରାଞ୍ଚଳ ନିର୍ବାଚନ ସମ୍ପର୍କିତ ବକେୟା ଡିସି ବିଲ୍ ଏବଂ ବିନିଯୋଗ ପ୍ରମାଣପତ୍ରର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ପ୍ରସ୍ତୁତିମୂଳକ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓ କନ୍ ଫରେନ୍ସ ସୁଚାରୁ ଭାବେ ପରିଚାଳନା ପାଇଁ ଓକାକ୍ ପକ୍ଷରୁ ଆବଶ୍ୟକ ବୈଷୟିକ ସହଯୋଗ ଯୋଗାଇ ଦିଆଯାଇଥିଲା । ନିର୍ଭୁଲ ଭୋଟର ତାଲିକା ତୃଣମୂଳସ୍ତରର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛି ।

ad-week
Leave A Reply

Your email address will not be published.