
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତର ଡୁର୍କାଯୋଡ଼ି ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଡମ୍ବରୁ ଓଡି (୩୫)। ସୂଚନା ଅନୁଯାୟୀ, ଗ୍ରାମବାସୀମାନେ ମିଳିତ ଭାବେ ନଦୀରେ ଏକ ଅସ୍ଥାୟୀ ବନ୍ଧ (ବିସର) ନିର୍ମାଣ କରି ମାଛ ଧରୁଥିଲେ। ଏହି ସମୟରେ ଡମ୍ବରୁ ଓଡି ମାଛ ଧରିବା ପାଇଁ ନଦୀକୁ ଯାଇଥିବାବେଳେ ଅସାବଧାନତାବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ ତୁରନ୍ତ ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ତଲାସି ଅଭିଯାନ ଚଳାଇଥିଲେ। ଶେଷରେ ଆଜି ସକାଳେ ନଦୀରୁ ଡମ୍ବରୁ ଓଡିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ ଡୁର୍କାଯୋଡ଼ି ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବାବେଳେ ଗ୍ରାମବାସୀମାନେ ମଧ୍ୟ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।
