
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ । ପରେ ନିଜେ ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ । ମଞ୍ଚେଶ୍ୱର ଥାନା ଚକେଇସିହାଣୀ ସାହୁ କଲୋନୀରେ ଏପରି ହତ୍ୟାକାଣ୍ଡ ଘଟିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତ ସ୍ୱାମୀଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୧୯ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ତେବେ ଦାମ୍ପତ୍ୟ କଳହ ଯୋଗୁଁ ଗତ ପ୍ରାୟ ୨ ବର୍ଷ ଧରି ସେମାନେ ଅଲଗା ରହୁଥିଲେ । ଆଜି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ କୌଣସି କାରଣକୁ ନେଇ ପୁନର୍ବାର ପ୍ରବଳ ଯୁକ୍ତିତର୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ପ୍ରଥମେ ସ୍ତ୍ରୀଙ୍କ ଗଳା ଚିପି ଦେଇଥିଲା । ଏହାପରେ ବାମ ହାତର ଶିରା କାଟି ହତ୍ୟା କରିଥିଲା ।
ହତ୍ୟା ପରେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସ୍ବାମୀ । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।
