୧୪୩ ନଂ ଜାତୀୟ ରାଜପଥ ଶୋଚନୀୟ: ମରାମତି ଦାବିରେ ବିଜେଡିର ଆନ୍ଦୋଳନ ଚେତାବନୀ

add-all

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରୁ ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ଓଡ଼ିଶାର ତଳସେରଠାରୁ ଝାରଖଣ୍ଡ ସୀମାନ୍ତ ବାସଜର ପର୍ଯ୍ୟନ୍ତ ବିସ୍ତୃତ ଏହି ରାସ୍ତା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ନିତ୍ୟବ୍ୟବହାରକାରୀ ଓ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ପ୍ରତିଦିନ ଏହି ରାଜପଥ ଦେଇ ହଜାର ହଜାର ସଂଖ୍ୟାରେ ଟ୍ରକ୍, ବସ୍‌, କାର୍‌ ଓ ବାଇକ୍‌ ଆଦି ଛୋଟବଡ଼ ଯାନବାହାନ ଯାତାୟାତ କରିଥାଏ। ମାତ୍ର ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ନିୟମିତ ଭାବେ ଦୁର୍ଘଟଣା ଘଟୁଛି। ଏପରିକି ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ମଧ୍ୟ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି।

ଏହି ରାସ୍ତା ପାର୍ଶ୍ୱରେ ବିଏସ୍‌ଏଲ୍ (BSL) କମ୍ପାନୀ, ସରକାରୀ ହସ୍ପିଟାଲ, ପୌରପାଳିକା, ସରକାରୀ ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ବନ ବିଭାଗ, ଅବକାରୀ ବିଭାଗ, ବ୍ୟାଙ୍କ, ଶ୍ରମଶକ୍ତି ମହାବିଦ୍ୟାଳୟ ସମେତ ମନ୍ଦିର, ମସଜିଦ, ଗୁରୁଦ୍ୱାର ଓ ଚର୍ଚ୍ଚ ଆଦି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ରହିଛି। ଫଳରେ ସାଧାରଣ ଜନତା, ଶ୍ରଦ୍ଧାଳୁ ଏବଂ ଛାତ୍ରଛାତ୍ରୀମାନେ ଯାତାୟାତ ବେଳେ ପ୍ରତିଦିନ ନାକେଦମ୍ ହେଉଛନ୍ତି।

ଏତେ ସବୁ ସମସ୍ୟା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଓ ଏନ୍‌ଏଚ୍‌ଏଆଇ (NHAI) ଆଖି ବୁଜି ବସିଥିବା ଅଭିଯୋଗ ହୋଇଛି। ବିଜେଡି ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ଟାଉନ୍ ସଭାପତି କୁନା ଦେଓ, ଆଇନଜୀବୀ ସାଜିଦ ଅହମଦ ଏବଂ ପୂର୍ବତନ ନଗରପାଳ ଶଶୀ ସାଗର ପ୍ରମୁଖ ବାରମ୍ବାର ଦାବି କରିବା ସତ୍ତ୍ୱେ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ତୁରନ୍ତ ରାସ୍ତା ମରାମତି ଓ ଖାଲପୂରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି କାର୍ଯ୍ୟକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ସେହିପରି କୌଣସି ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବା ପୂର୍ବରୁ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି।

ad-week
Leave A Reply

Your email address will not be published.