ଆତ୍ମହତ୍ୟା ନୁହେଁ ସୁପରିକଳ୍ପିତ ହତ୍ୟା : ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ଥ ହେଲେ ମୃତ ଶୁଭଲକ୍ଷ୍ମୀଙ୍କ ପରିବାର

ବ୍ରହ୍ମପୁର : ଯୌତୁକ ନିର୍ଯାତନାରୁ ପୁଣି ଜଣେ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଆତ୍ମହତ୍ୟା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରି ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର। ଏହି ଚାଞ୍ଚଲ୍ୟକର ଘଟଣା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହି ଅଞ୍ଚଳରୁ ସାମ୍ନାକୁ ଆସିଛି।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁର ଗ୍ରାମର ଦୁର୍ଗା ପ୍ରାସାଦ ସାହୁଙ୍କ ଝିଅ ଶୁଭଲକ୍ଷ୍ମୀ ସାହୁ ଭୁବନେଶ୍ୱରରେ ବନ ବିଭାଗରେ କାର୍ଯ୍ୟ କରୁଥିଲେ। ସେଠାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହିନ୍ଦୋଳ ଗ୍ରାମର ସୁରେନ୍ଦ୍ର ପଟ୍ଟନାୟକଙ୍କ ପୁଅ ସମ୍ବିତ କୁମାର ପଟ୍ଟନାୟକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ପ୍ରାୟ ଦୁଇ ବର୍ଷ ପୂର୍ବେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଶୁଭଲକ୍ଷ୍ମୀଙ୍କ ପରିବାର ଏହି ବିବାହରେ ସମ୍ମତି ଦେଇନଥିଲେ ହେଁ, ପରେ ସମ୍ବିତଙ୍କ ପରିବାର ଲୋକଙ୍କ ଗ୍ରହଣଯୋଗ୍ୟତାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ବିବାହର କିଛି ଦିନ ଭୁବନେଶ୍ୱରରେ ହସଖୁସିରେ ବିତିବା ପରେ ଶୁଭଲକ୍ଷ୍ମୀଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା। ଶୁଭଲକ୍ଷ୍ମୀ ପାଉଥିବା ସମସ୍ତ ଦରମା ତାଙ୍କ ସ୍ୱାମୀ ଓ ଶଶୁର ଘର ଲୋକେ ନେଇଯାଉଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ବ୍ୟାଙ୍କ ଲେଣଦେଣର ସମସ୍ତ ତଥ୍ୟ ପୋଲିସକୁ ହସ୍ତାନ୍ତର କରାଯାଇଛି।
ଆଜିକୁ ଛଅ ମାସ ତଳେ ଶୁଭଲକ୍ଷ୍ମୀଙ୍କ ବଦଳି ବ୍ରହ୍ମପୁରକୁ ହୋଇଥିଲା। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିରେ ଏକ ଭଡ଼ାଘରେ ଶୁଭଲକ୍ଷ୍ମୀ, ତାଙ୍କ ସ୍ୱାମୀ, ଶାଶୁ ଓ ଶଶୁର ଏକାଠି ରହୁଥିଲେ। ସେଠାରେ ଯୌତୁକ ନିର୍ଯାତନା ଅଧିକ ବୃଦ୍ଧି ପାଇଥିଲା। ବାପାଘରୁ ଟଙ୍କା ଆଣିବା ପାଇଁ ସ୍ୱାମୀ ଓ ଶଶୁର ଘର ଲୋକେ ବାଧ୍ୟ କରୁଥିଲେ ଏବଂ ଟଙ୍କା ନଆଣିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଶୁଭଲକ୍ଷ୍ମୀ ନିଜ ପରିବାରକୁ ଜଣାଇଥିଲେ।
ଗତ ୨୫ ତାରିଖରେ ଭଡ଼ାଘରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ଖବର ପାଇ ପରିବାର ଲୋକେ ବ୍ରହ୍ମପୁରରେ ପହଞ୍ଚି ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ।
ବୈଦ୍ୟନାଥପୁର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ ସ୍ୱାମୀ, ଶଶୁର ଓ ଶାଶୁଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସ୍ୱାମୀ ସମ୍ବିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମୃତ ଶୁଭଲକ୍ଷ୍ମୀଙ୍କ ପରିବାରବର୍ଗ ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ୍.ଙ୍କୁ ସାକ୍ଷାତ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସମ୍ବିତଙ୍କ ବାପା-ମା’ ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଗିରଫ କରିବାକୁ ଦାବି ହୋଇଛି। “ପୋଲିସ ଘଟଣାର ଗ୍ରାଉଣ୍ଡ ତଦନ୍ତ ଜାରି ରଖିଛି। ତଦନ୍ତ ସମୟରେ ଯେଉଁମାନଙ୍କର ବି ସମ୍ପୃକ୍ତି ସାମ୍ନାକୁ ଆସିବ, ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
