ହିଜାବ ବିବାଦରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

youtube

ଲକ୍ଷ୍ନୌ: ହିଜାବ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେଉଥିବା ବେଳେ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ସିଧାସଳଖ ‘ହିଜାବ’ ଶବ୍ଦ ନ ଉଠାଇଥିଲେ ମଧ୍ୟ ମୁସଲିମ ଝିଅମାନଙ୍କର ଅଧିକାର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ନିଶାନା କରିଥିଲେ। ଏହି ଘଟଣା ପାଇଁ ସେ ପରୋକ୍ଷରେ ବିରୋଧୀଙ୍କୁ ଦାୟୀ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ମୁସଲିମ ମହିଳାଙ୍କର ଅଧିକାରକୁ ସଙ୍କୁଚିତ କରିବା ପାଇଁ ବିରୋଧୀ ନୂଆ ନୂଆ କୌଶଳ ପ୍ରୟୋଗ କରୁଛନ୍ତି। ମୁସଲିମ ମହିଳାଙ୍କୁ ବିଜେପି ସରକାର ତିନି ତଲାକ ସମସ୍ୟାରୁ ମୁକ୍ତି ଦେଇଛି। ଯେତେବେଳେ ମୁସଲିମ ମହିଳମାନେ ମୋଦିଙ୍କୁ ସମର୍ଥନ କଲେ ଓ ଗୋଟିଏ ପରେ ଗୋଟିଏ ଭିଡିଓ କରି ଛାଡ଼ିଲେ, ତାହା ବିରୋଧୀଙ୍କୁ ସହ୍ୟ ହେଲା ନାହିଁ। ତେଣୁ ସେମାନେ ମୁସଲିମ ମହିଳାଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଲେ। କିନ୍ତୁ ଆମେ ସମସ୍ତ ମୁସଲିମ ମହିଳାଙ୍କ ସହ ଅଛୁ। ସେମାନଙ୍କ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ।
ଆଜି ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବାକି ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିଲେ। ସହାରନପୁରରେ ଆୟୋଜିତ ରାଲିରେ ଯୋଗ ଦେଇ ସେ କହିଥିଲେ, ଉତ୍ତର ପ୍ରଦେଶରେ ମୁସଲିମ ମହିଳାଙ୍କ ଅଧିକାରକୁ ଯୋଗୀ ସରକାର ସୁନିଶ୍ଚିତ କରିଛନ୍ତି। ତେଣୁ ଏଠାରେ ପୁଣି ଥରେ ବିଜେପି ସରକାର ଆସିବା ଉଚିତ୍।
ସେହିପରି ଏହି ରାଲିରେ ମୋଦି ରାଜନୀତିରେ ଚାଲିଥିବା ପରିବାରବାଦ କଥା ଉଠାଇଥିଲେ। ସେ କହିଥିଲେ ଯେ ଉତ୍ତର ପ୍ରଦେଶରେ ପୂର୍ବରୁ ଥିବା ଶାସକମାନେ ସେମାନଙ୍କ ପରିବାର ଛଡ଼ା ଆଉ କାହାକୁ ଦେଖି ନାହାନ୍ତି। ସେମାନେ ଆପଣଙ୍କ ପାଇଁ ଚିନ୍ତିତ ନୁହନ୍ତି। ଯଦି ସେମାନେ ମହାମାରୀ ସମୟରେ କ୍ଷମତାରେ ଥା’ନ୍ତେ, ତା’ହେଲେ କରୋନା ଟିକାର କଳାବଜାରୀ ହୋଇଥା’ନ୍ତା। ସେହି ଟିକା ଆପଣଙ୍କ ପାଖରେ ପହଞ୍ଚି ପାରି ନଥା’ନ୍ତା।
ମୋଦି ଆହୁରି କହିଥିଲେ, ଯଦି ବିରୋଧୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି, ତା’ହେଲେ ସେମାନେ ଆପଣମାନଙ୍କୁ ଠକୁଛନ୍ତି। ରାଜ୍ୟରେ ବିଜେପି ପୂର୍ବରୁ ଶାସନରେ ଥିବା ଦଳ ବିଜୁଳି ନେଇ କେତେ କ’ଣ ସ୍ୱପ୍ନ ଦେଖାଇଥିଲା। କିନ୍ତୁ ୟୁପି ଅନ୍ଧାରରେ ରହିଲା।

Leave A Reply

Your email address will not be published.