ବାଲୁଗାଁରୁ ୩୧ କିଲୋ ଗଞ୍ଜେଇ ଜବତ: ୨ ଗିରଫ, କୋର୍ଟ ଚାଲାଣ

add-all

ବାଲୁଗାଁ: ଯେତେ ଧରପଗଡ଼ ହେଲେ ବି ଅଞ୍ଚଳରେ ନିଶା ବେପାରୀଙ୍କ ପ୍ରାଦୁର୍ଭାବ ଥମିବାର ନାଁ ନେଉନାହିଁ। ଆଜି ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୨୨ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଖୋର୍ଦ୍ଧା ଅବକାରୀ ଅଧୀକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏକ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗି ଓ ବାଲୁଗାଁ ଅବକାରୀ ଟିମ୍‌ ଦ୍ୱାରା ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା | ବାଲୁଗାଁ ରେଳ ଷ୍ଟେସନ ରୋଡ୍‌: ସକାଳ ୦୯:୩୯ ମିନିଟ୍‌ରେ ପ୍ରଥମ ଚଢ଼ାଉ କରାଯାଇ ଜଣଙ୍କୁ ଆୟତ୍ତ କରାଯାଇଥିଲା। ନୂଆଗାଁ ଓଭରବ୍ରିଜ୍‌ ନିକଟ: ସକାଳ ୧୦:୪୦ ମିନିଟ୍‌ରେ ଦ୍ୱିତୀୟ ଚଢ଼ାଉ କରାଯାଇ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ଦୁଇ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଡ଼ଲା ଅଞ୍ଚଳର ବୋଲି ଚିହ୍ନଟ ହୋଇଛନ୍ତି:

  1. ରାଜୁ ଗୌଡ଼ (୪୪): ଗ୍ରାମ- ବେରୁଆଁବାଡ଼ି, କୋଡ଼ଲା (ଗଞ୍ଜାମ)। ତାଙ୍କ ନିକଟରୁ ୨୧ କିଲୋ ଗଞ୍ଜେଇ, ନଗଦ ୧,୦୦୦ ଟଙ୍କା ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଛି।
  2. ବାଉରୀବନ୍ଧୁ ଜେନା (୭୫): ଗ୍ରାମ- ଛଚିନା, ଜଗନ୍ନାଥପୁର, କୋଡ଼ଲା (ଗଞ୍ଜାମ)। ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଛି।

(ମୋଟ ଜବତ ସାମଗ୍ରୀ ମଧ୍ୟରେ ୩୧ କିଲୋ ଗଞ୍ଜେଇ, ନଗଦ ୧୦,୦୦୦ ଟଙ୍କା ଓ ୨ଟି ମୋବାଇଲ୍ ଫୋନ୍ ରହିଛି।)

ଏହି ଘଟଣାରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ମାମଲା (ନଂ. ୧୧୮/୨୭ ଓ ୪୩/୨୬) ରୁଜୁ କରାଯାଇ ଦୁଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢ଼ାଉରେ ଟାଙ୍ଗି ଅବକାରୀ ଅଧୀକ୍ଷକ ଅଜିତ କୁମାର ପାତ୍ର, ବାଲୁଗାଁ ଅବକାରୀ ଏସ୍‌ଆଇ ସୌମ୍ୟରଞ୍ଜନ ବେହେରା, ଏଏସ୍‌ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ରଞ୍ଜିତ ପଟେଲ, ସୁନିତା ମହାରଣା, ସତ୍ୟବନ୍ତ ମାଝୀ, ମନୋଜ କୁମାର ଜୟସିଂ, ଅନିଲ କୁମାର ପ୍ରଧାନ ଓ ସସ୍ମିତା ସେଠି ପ୍ରମୁଖ ସାମିଲ ଥିଲେ।

ad-week
Leave A Reply

Your email address will not be published.