୧ କୋଟି ୨୬ ଲକ୍ଷର ଛାତ୍ରାବାସ କାମ ଦୁଇବର୍ଷ ଧରି ଅଧାପନ୍ତରିଆ

add-all

ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ, ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ତୁରୁଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ତୁରୁଡିହି ଗ୍ରାମରେ ଥିବା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ କାର୍ଯ୍ୟ ଦୀର୍ଘ ଦିନ ଧରି ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଘଟଣାକୁ ନେଇ ଅଭିଭାବକ, ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଆଦିବାସୀ ଛାତ୍ରଛାତ୍ରୀଙ୍କ ରହିବା ସୁବିଧା ପାଇଁ ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ପକ୍ଷରୁ ଏହି ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ଯୋଜନା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟର ଠିକା ଦାୟିତ୍ୱ ଠିକାଦାର ଶ୍ରୀ ସୁବ୍ରତ ମହାପାତ୍ରଙ୍କୁ ଦିଆଯାଇଥିଲା।
ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ରହିଛି ୧ କୋଟି ୨୬ ଲକ୍ଷ ୫ ହଜାର ୧୧୫ ଟଙ୍କା। ଯାହାର ଯୁକ୍ତିନାମା ସଂଖ୍ୟା ୨୬ PE/୨୦୨୩-୨୪। କିନ୍ତୁ ୨୦୨୩-୨୪ ମସିହାରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାମ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପ ନେଇନଥିବାରୁ ସରକାରୀ ଅର୍ଥର ସଦୁପଯୋଗ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନୂତନ ଛାତ୍ରାବାସ ନିର୍ମାଣ ଶୀଘ୍ର ସମାପ୍ତ ହେବ ବୋଲି ଆଶା ରହିଥିଲା। କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ କାମ ଅଧାରେ ଅଟକି ରହିଛି। ଫଳରେ ପୁରୁଣା ଛାତ୍ରାବାସରେ ରହୁଥିବା କୁନି କୁନି ଛାତ୍ରଛାତ୍ରୀମାନେ ବର୍ଷା ଦିନରେ ଅନେକ ସମସ୍ୟା ଭୋଗୁଛନ୍ତି।
ଅଭିଭାବକମାନେ କହିଛନ୍ତି ଯେ, ଶିକ୍ଷା ପାଇଁ ଦୂରଦୂରାନ୍ତରୁ ଆସିଥିବା ପିଲାମାନଙ୍କୁ ଯଦି ଏଭଳି ଅସୁବିଧା ମଧ୍ୟରେ ରହିବାକୁ ପଡ଼େ, ତେବେ ସେମାନଙ୍କ ପାଠପଢ଼ା ଓ ଭବିଷ୍ୟତ ଉପରେ ପ୍ରଭାବ ପଡ଼ିବ।
ଏହି ଅଧାପନ୍ତରିଆ କାର୍ଯ୍ୟକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହି ବିଷୟରେ ବିଶେଷ ତଥ୍ୟ ନଥିବା କହିଥିଲେ।
ଏପଟେ ଅଞ୍ଚଳବାସୀଙ୍କ ପ୍ରଶ୍ନ ହେଉଛି—ଯେଉଁ ପ୍ରକଳ୍ପ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେହି କାମ ଏତେ ଦିନ ଧରି କାହିଁକି ଅସମ୍ପୂର୍ଣ୍ଣ ରହିଛି? ଏଥିପାଇଁ ଦାୟୀ କିଏ?
ବୁଦ୍ଧିଜୀବୀ ମହଳରେ ଦାବି ହେଉଛି ଯେ, ନିର୍ମାଣ କାର୍ଯ୍ୟରେ ବିଳମ୍ବର କାରଣ ନେଇ ତୁରନ୍ତ ତଦନ୍ତ କରାଯାଉ। ଯଦି ଠିକାଦାରଙ୍କ ଅବହେଳା କିମ୍ବା ନିୟମ ଉଲ୍ଲଂଘନ ପ୍ରମାଣିତ ହୁଏ, ତେବେ ଠିକାଦାର ଶ୍ରୀ ସୁବ୍ରତ ମହାପାତ୍ରଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ, ଜରିମାନା ଓ ଶୀଘ୍ର କାମ ସମାପ୍ତି ପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି।
ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନ, ITDA କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଶୀଘ୍ର ଏକ ସୁରକ୍ଷିତ ଛାତ ତଳେ ରହି ପାଠପଢ଼ା କରିପାରିବେ।

ad-week
Leave A Reply

Your email address will not be published.