
ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗରିବ ଏବଂ ଅସହାୟ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସରକାରୀ ନିୟମ ଅନୁଯାୟୀ ମେଡିକାଲରେ ସମସ୍ତ ପ୍ରକାର ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ବାସ୍ତବରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ହସ୍ପିଟାଲର କିଛି ଅସାଧୁ କର୍ମଚାରୀ ଏବଂ ଦଲାଲ୍ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ରୋଗୀଙ୍କଠାରୁ ବିଭିନ୍ନ ବାହାନାରେ ‘ଡିଜିଟାଲ୍ ଲୁଟ୍’ ଚାଲିଛି । ଏହି ବେଆଇନ କାରବାର ବିରୋଧରେ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ମେଡିକାଲ ପରିସରରେ ଏକ ଜୋରଦାର ପୋଷ୍ଟର ପ୍ରତିବାଦ ଅଭିଯାନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସ କର୍ମୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଏହି ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ମେଡିକାଲର କାନ୍ଥ, ବିଭିନ୍ନ ୱାର୍ଡର ସମ୍ମୁଖ ଭାଗ ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ‘ମାଗଣା ଚିକିତ୍ସା ନାଁରେ ମେଡିକାଲରେ ଡିଜିଟାଲ୍ ଲୁଟ୍’ ଏବଂ ଅସାଧୁ କର୍ମଚାରୀଙ୍କୁ ଚେତାବନୀ ଦେଉଥିବା ବ୍ୟାନର ଓ ପୋଷ୍ଟର ସବୁ ମରାଯାଇଛି ।
ଏହି ପୋଷ୍ଟର ମାଧ୍ୟମରେ ସାଧାରଣ ଜନତାଙ୍କୁ ସଚେତନ କରାଯିବା ସହ ଶୋଷଣ କରୁଥିବା କର୍ମଚାରୀଙ୍କୁ ସିଧାସଳଖ ଚେତାବନୀ ଦିଆଯାଇଛି । ଅଭିଯୋଗ ମୁତାବକ, ଡିଜିଟାଲ୍ ଓ ଅନ୍ଲାଇନ୍ ବ୍ୟବସ୍ଥାର ଜଟିଳତା ଦେଖାଇ ଗରିବ ଏବଂ ନିରକ୍ଷର ରୋଗୀଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରାଯାଉଛି । ଏହା ସହିତ ସରକାରୀ ‘ନିରାମୟ’ କେନ୍ଦ୍ରରୁ ଉପଯୁକ୍ତ ଔଷଧ ନଦେଇ ବାହାର ପ୍ରାଇଭେଟ୍ ଦୋକାନରୁ କିଣିବାକୁ ବାଧ୍ୟ କରାଯାଉଛି । ମେଡିକାଲ ଭିତରୁ ରୋଗୀଙ୍କୁ ବାହାର ଲାବୋରେଟୋରୀକୁ ପରୀକ୍ଷା ପାଇଁ ପଠାଇ ମୋଟା ଅଙ୍କର କମିଶନ କାରବାର ଚାଲିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ସଭାପତି ରଞ୍ଜିତ ଦାସ କହିଛନ୍ତି, “ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଗରିବ ଲୋକେ ଏହି ଚିକିତ୍ସାଳୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଏଠାରେ ଚାଲିଥିବା ଏଭଳି ରୋଗୀ ଶୋଷଣକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ ।” ଯଦି ତୁରନ୍ତ ଏହି ଡିଜିଟାଲ୍ ଲୁଟ୍ ବନ୍ଦ ନହୁଏ, ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ମେଡିକାଲ ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯିବା ସହ ସମ୍ପୂର୍ଣ୍ଣ ହସ୍ପିଟାଲ୍ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାପାଳ ଏବଂ ସିଡିଏମଓ ତୁରନ୍ତ ଏହି ସଙ୍ଗୀନ ମାମଲାକୁ ଗମ୍ଭୀରତାର ସହ ନେଇ ନିରପେକ୍ଷ ତଦନ୍ତ କରନ୍ତୁ ଏବଂ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଜୋରଦାର ଦାବି ହେଉଛି ।
