
ଉମରକୋଟ : ଆଜିର ଦୁନିଆରେ ମଧ୍ୟ ଏମିତି କିଛି ମଣିଷ ଅଛନ୍ତି, ଯେଉଁମାନେ ନିଜର ସୁଖ-ଦୁଃଖକୁ ଭୁଲି ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବି ସହାୟତାର ହାତ ବଢ଼ାଇଥାନ୍ତି। ମାନବିକତା ଓ ସେବା ମନୋଭାବର ଏପରି ଏକ ଉଦାହରଣ ଏବେ ଉମରକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଇଘର ବ୍ଲକ ଅନ୍ତର୍ଗତ କୋଦୁଭାଟା ଗ୍ରାମର ନିବାସୀ ସାମ୍ବାଦିକ ରସିକ ସରକାରଙ୍କ ପୁତ୍ରବଧୂ ଗତ ୧୩/୦୮/୨୦୨୬ ତାରିଖ ଦିନ ଉମରକୋଟ ଜୋନାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନ ୧ଟା ୦୫ ମିନିଟ ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ପ୍ରସବ ପରେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଚିକିତ୍ସକ ତୁରନ୍ତ ରକ୍ତ ଯୋଗାଣର ଆବଶ୍ୟକତା ଥିବା କହିଥିଲେ।
ପ୍ରସୂତିଙ୍କ ରକ୍ତ ଗୋଷ୍ଠୀ AB+ve ହୋଇଥିବାରୁ ଏବଂ ସେହି ସମୟରେ ଉମରକୋଟ ବ୍ଲଡ୍ ବ୍ୟାଙ୍କରେ ଏହି ଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ବିଭିନ୍ନ ସାମାଜିକ ଗ୍ରୁପରେ ରକ୍ତର ଆବଶ୍ୟକତା ସମ୍ପର୍କରେ ସୂଚନା ଦିଆଯାଇଥିଲେ ମଧ୍ୟ ତୁରନ୍ତ କୌଣସି ରକ୍ତଦାତା ମିଳିପାରିନଥିଲେ।
ଏହି ଖବର ଅକ୍ଷର ନ୍ୟୁଜର ପ୍ରତିନିଧି ଭୁବେଶ୍ୱର ସୁନାନୀଙ୍କ ନଜରକୁ ଆସିବା ପରେ ସେ ଆଉ ବିଳମ୍ବ ନକରି ମାନବିକତାର ପରିଚୟ ଦେଇ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ତାଙ୍କ ସହ ମହାଭାରତ ନ୍ୟୁଜର ସାମ୍ବାଦିକ ଲଳିତ ସୁନାନୀ ଏବଂ ସ୍ୱାଧୀକାର ନ୍ୟୁଜର ସାମ୍ବାଦିକ ଗଣେଶ ସୁନା ମଧ୍ୟ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ରକ୍ତଦାନ କରିଥିଲେ।
ତିନି ଜଣ ସାମ୍ବାଦିକଙ୍କ ଏହି ମହାନ କାର୍ଯ୍ୟ ଯୋଗୁଁ ଜଣେ ମାଆଙ୍କ ଜୀବନ ରକ୍ଷା କରିବାରେ ସହାୟତା ମିଳିଥିଲା। ସେମାନଙ୍କର ଏହି ମାନବିକ ପଦକ୍ଷେପ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶଂସାର ବିଷୟ ହୋଇଛି।
ସୂଚନା ଅନୁସାରେ, ଏବେ ମଧ୍ୟ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ AB+ve ରକ୍ତର ଆବଶ୍ୟକତା ଥିବା ଅନେକ ରୋଗୀ ଅଛନ୍ତି। ଏହି ଦୁର୍ଲଭ ରକ୍ତ ଗୋଷ୍ଠୀର ରକ୍ତ ଥିବା ସ୍ୱଇଚ୍ଛୁକ ରକ୍ତଦାତାମାନେ ଆଗେଇ ଆସି ରକ୍ତଦାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ଗୋଟିଏ ବୁନ୍ଦ ରକ୍ତ କାହାରୋ ଜୀବନ ବଞ୍ଚାଇପାରେ | ତେଣୁ ରକ୍ତଦାନ କରନ୍ତୁ, ମାନବିକତାର ମହାନ ପରମ୍ପରାକୁ ଆଗେଇ ନିଅନ୍ତୁ
