
ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଏହି ମାମଲାରେ ମୃତ ଯୁବତୀଙ୍କ ଚାଚା ପୁଅ ଭାଇ ଅଭିନାଶ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତ ତାଙ୍କ ଭଉଣୀଙ୍କୁ ପ୍ରେମ ସମ୍ପର୍କ ସନ୍ଦେହରେ ହତ୍ୟା କରି ମୃତଦେହକୁ ଏକ ସୁଟକେସ୍ ଭିତରେ ବନ୍ଦ କରି ଏକ ନିର୍ଜନ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ଯାହା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ପୋଲିସ ୧ ନମ୍ବର ଗଳି ନିକଟରେ ଥିବା ଏକ ଅନ୍ଧାରୁଆ ସ୍ଥାନରୁ ଏକ ସୁଟକେସ୍ ପାଇଥିଲା । ଯେଉଁଥିରେ ଯୁବତୀଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରାତିରେ ଚେକିଂ କରୁଥିବା ଆଉଟର ନର୍ଥ ଜିଲ୍ଲାର ସ୍ପେଶାଲ୍ ଷ୍ଟାଫ୍ ଟିମ୍ର ନଜର ଜଣେ ଯୁବକଙ୍କ ଉପରେ ପଡ଼ିଥିଲା । ସେହି ସମୟରେ ଜଣେ ଯୁବକଙ୍କ ଉପରେ ତାଙ୍କର ନଜର ପଡିଥିଲା । ତାଙ୍କ କାର୍ଯ୍ୟକଳାପ ଦେଖି ସନ୍ଦେହ ସୃଷ୍ଟି ହେବାରୁ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ । ପଚରାଉଚରା ସମୟରେ ଯୁବକ ଜଣକ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଅନ୍ୟପଟେ ପୁଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ବୁରାଡିର ଅଜିତ ବିହାରକୁ ଯାଇଥିଲା । ଏକ ନିଛାଟିଆ ସ୍ଥାନରୁ ସୁଟକେସ୍ ଉଦ୍ଧାର କରିଥିଲା । ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ହେଲେ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । କାହିଁକି ହତ୍ୟା କରାଯାଇଥିଲା, କିପରି ହତ୍ୟା ଘଟିଥିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ—ସେନେଇ ତଦନ୍ତ ଜାରି ରହିଛି ।
