
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଇଟାଭାଟି କର୍ମଚାରୀଙ୍କୁ ଗୁଳିମାଡ଼ । କେନ୍ଦ୍ରାପଡ଼ା ସଦର ଥାନା ଅନୁଆପଡାଠାରେ ଥିବା ଇଟାଭାଟିରେ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ଗୁଳିମାଡ଼ରେ ଆହତ ହୋଇଛନ୍ତି ଗୌର ଚନ୍ଦ୍ର ରାଉତ । ଗୌରଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି । ଦାଦା ବଟିକୁ କେନ୍ଦ୍ର କରି କିମ୍ବା ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସେନେଇ ସ୍ପଷ୍ଟ ହୋଇନି ।
ସୂଚନା ଅନୁସାରେ, ଅନୁଆପଡ଼ାଠାରେ ଥିବା ଇଟାଭାଟିରେ ଗୌର ଚନ୍ଦ୍ର ରାଉତ ନିଜ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ଜଣେ ଦୁର୍ବୃତ୍ତ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଗୁଳିଟି ଗୌର ଚନ୍ଦ୍ରଙ୍କ ଡାହାଣ ଗୋଡ଼ରେ ବାଜିଥିବା ଜଣାପଡ଼ିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଆହତ ଗୌର ଚନ୍ଦ୍ରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଛି । ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।
ତେବେ ଏହି ଗୁଳିମାଡ଼ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି ନା ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି, ସେନେଇ ତଦନ୍ତ ଜାରି ରହିଛି । ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଫେରାର ଦୁର୍ବୃତ୍ତଙ୍କୁ ଧରିବା ସହ ଗୁଳିମାଡ଼ର କାରଣ ଖୋଜିବା ପାଇଁ ପୁଲିସ ତଦନ୍ତ ଚଳାଇଛି ।
