
ଭିଡିଓ କନଫରେନ୍ସିଂ, ଆଇସିଟି ଓ ମଧ୍ୟସ୍ଥତା ବ୍ୟବସ୍ଥା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ
ବ୍ରହ୍ମପୁର : ନ୍ୟାୟ ବ୍ୟବସ୍ଥାକୁ ଅଧିକ ସରଳ, ସୁଗମ, ପ୍ରଯୁକ୍ତିମୁଖୀ ଓ ଜନସାଧାରଣଙ୍କ ନିକଟତର କରିବା ଲକ୍ଷ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ନ୍ୟାୟିକ ଏକାଡେମୀ ପ୍ରଶିକ୍ଷଣ ହଲ୍ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଏଆଇ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ନ୍ୟାୟିକ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଦିଗରେ ସୁପ୍ରିମକୋର୍ଟଙ୍କ ‘ସୁଭାସ’ ସଫ୍ଟୱେରର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସୁପ୍ରିମକୋର୍ଟଙ୍କ ଇଂରାଜୀ ଭାଷାରେ ପ୍ରଦତ୍ତ ରାୟଗୁଡ଼ିକୁ ଏଆଇ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ଦ୍ୱାରା ନ୍ୟାୟିକ ରାୟ ଓ ଆଇନଗତ ତଥ୍ୟକୁ ଜନସାଧାରଣ ସହଜରେ ବୁଝି ପାରିବେ ।
ଏହି ଅବସରରେ ଓଡ଼ିଶା ହାଇକୋର୍ଟ ଓ ନ୍ୟାୟାଳୟଗୁଡ଼ିକରେ ଉପଲବ୍ଧ ବିଭିନ୍ନ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ସୁବିଧା ସମ୍ପର୍କରେ ସଚେତନତା ଓ ପ୍ରଶିକ୍ଷଣ ଦିଆଯାଇଥିଲା। ନ୍ୟାୟିକ ପ୍ରକ୍ରିୟାରେ ଡିଜିଟାଲ୍ ପ୍ରଯୁକ୍ତିର ସଠିକ୍ ବ୍ୟବହାର କିପରି ସମୟ, ଶ୍ରମ ଓ ଦୂରତାର ବାଧାକୁ କମାଇ ନ୍ୟାୟିକ ସେବାକୁ ଅଧିକ ସୁଗମ କରିପାରିବ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ବିବାଦର ଶୀଘ୍ର ଓ ସମାଧାନମୂଳକ ନିଷ୍ପତ୍ତି ପାଇଁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଓ ମଧ୍ୟସ୍ଥତାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସିଭିଲ୍ ପ୍ରୋସିଜିଅର୍ ବିକଳ୍ପ ବିବାଦ ସମାଧାନ ନିୟମାବଳୀ, ୨୦୦୭ ଏବଂ ସିଭିଲ୍ ପ୍ରୋସିଜିଅର୍ ମଧ୍ୟସ୍ଥତା ନିୟମାବଳୀ, ୨୦୦୭ର ବିଭିନ୍ନ ବ୍ୟବସ୍ଥା ଓ ଏହାର ବ୍ୟବହାରିକ ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲା ବେଳେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଅସୀମ କୁମାର ଦାସ ମଧ୍ୟସ୍ଥତାରେ ନିୟୋଜିତ ଆଇନଜୀବୀମାନଙ୍କୁ ଅଧିକ ସଚେତନ ଓ ସମ୍ବେଦନଶୀଳ ଭାବେ ଆଇନ ସେବା ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ ।
ବ୍ରହ୍ମପୁରର ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ଶୁଭଲକ୍ଷ୍ମୀ ଦାସ, ସ୍ମିତା ମହାପାତ୍ର ଏବଂ ଅନ୍ଵେଷା ଦାସ ଭିଡିଓ କନଫରେନ୍ସିଂ ଓ ଆଇସିଟି ସୁବିଧା, ବିକଳ୍ପ ବିବାଦ ସମାଧାନ ଓ ମଧ୍ୟସ୍ଥତା ନିୟମାବଳୀ ଏବଂ ‘ସୁଭାସ୍’ ମାଧ୍ୟମରେ ଏଆଇ ଆଧାରିତ ନ୍ୟାୟିକ ରାୟ ଅନୁବାଦ ପ୍ରକ୍ରିୟା ସମ୍ପର୍କରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ।
