ନୟାଗଡ଼ରୁ ମିଳିବ ସୁଭଦ୍ରା ୫ମ କିସ୍ତି; ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Independence

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରାଜ୍ୟ ସରକାର ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ରାଖୀ ପୂର୍ଣ୍ଣିମା ଦିନ ନୟାଗଡ଼ ଜିଲ୍ଲାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ, ଓକାକର ବୈଷୟିକ ଟିମ୍ ଏବଂ ବିଭିନ୍ନ ବ୍ୟାଙ୍କର ମୁଖ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପଞ୍ଚମ କିସ୍ତି ବାବଦ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିବା, ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଏବଂ ବ୍ୟାଙ୍କିଙ୍ଗ୍ ସର୍ଭର ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି କିସ୍ତିରେ ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ରାକ୍ଷୀପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତରେ ଏହି ସମସ୍ତ ମା’ ଓ ଭଉଣୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନଶୀଳତାକୁ ଆହୁରି ମଜଭୁତ କରିବ।

ଟଙ୍କା ବଣ୍ଟନ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ନିର୍ଭୁଲ, ସ୍ୱଚ୍ଛ ଓ ନିର୍ବିଘ୍ନ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଉପମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିବିଟି ପ୍ରକ୍ରିୟା ଶେଷ କରିବା ସହିତ ହିତାଧିକାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ ବେଳେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୁଭଦ୍ରା ଯୋଜନାର ଏହି କିସ୍ତି ବଣ୍ଟନକୁ ନେଇ ସମଗ୍ର ରାଜ୍ୟର ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.