ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ଷଷ୍ଠ ବାର୍ଷିକ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ

Independence

ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ପୂରାତନ ଛାତ୍ରଛାତ୍ରୀ ଭୂମିକା ବଢ଼ାଇବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ, ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହ ସମନ୍ୱୟ ସୁଦୃଢ଼ କରି ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶରେ ଅଧିକ ସକ୍ରିୟ ଭୂମିକା ନେବାକୁ ପୂରାତନ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।

ଶୁକ୍ରବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆଲୁମନି ଆସୋସିଏସନ୍‌ର ଷଷ୍ଠ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି I

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏକ ଶିକ୍ଷାନୁଷ୍ଠାନର ପ୍ରକୃତ ଶକ୍ତି କେବଳ ଏହାର ଭିତ୍ତିଭୂମି କିମ୍ବା ଶିକ୍ଷାଗତ ସଫଳତାରେ ପ୍ରତିଫଳିତ ହୁଏ ନାହିଁ ବରଂ ଏହା ଯେଉଁ ଜୀବନକୁ ପରିବର୍ତ୍ତନ କରେ ଏବଂ ଯେଉଁ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ପ୍ରଦାନ କରେ, ତାହା ହିଁ ଏହାର ପ୍ରକୃତ ପରିଚୟ।

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ବୌଦ୍ଧିକ ପରମ୍ପରାର ଏକ ଗର୍ବିତ ପ୍ରତୀକ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଜ୍ଞାନ, ଅନୁସନ୍ଧାନ ଓ ସମାଜସେବା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳୁଛି। ଓଡ଼ିଶା ତଥା ଦେଶର ବିଭିନ୍ନ ଅଞ୍ଚଳ ଓ ବିଦେଶରେ ପୂରାତନ ଛାତ୍ରଛାତ୍ରୀମାନଙ୍କ ସଫଳତା ବିଶ୍ୱବିଦ୍ୟାଳୟର ସମୃଦ୍ଧ ପରମ୍ପରାର ପ୍ରତିଫଳନ।

ପୂରାତନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟର ‘ଚଳନ୍ତି ଆମ୍ବାସଡର’ ଭାବେ ଅଭିହିତ କରି ରାଜ୍ୟପାଳ କହିଥିଲେ ଯେ, ସେମାନଙ୍କ ଅଭିଜ୍ଞତା, ପେସାଦାର ନେଟୱର୍କ ଓ ଦକ୍ଷତା ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ମେଣ୍ଟରିଂ, କ୍ୟାରିୟର ମାର୍ଗଦର୍ଶନ, ନିଯୁକ୍ତି, ଉଦ୍ୟମିତା ଓ ଶିକ୍ଷାଗତ ସହଯୋଗ କ୍ଷେତ୍ରରେ ବେଶ ଉପକୃତ କରିପାରିବ। ‘ମିଟ୍ ଦ ଆଲୁମନି’ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ଓ ମେଣ୍ଟରିଂ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସହାୟତା ଏବଂ ପରିସର ସ୍ୱଚ୍ଛତା ଓ ବୃକ୍ଷରୋପଣ ଭଳି ପଦକ୍ଷେପ ପାଇଁ ରାଜ୍ୟପାଳ ଆଲୁମନି ଆସୋସିଏସନ୍‌କୁ ପ୍ରଶଂସା କରିଥିଲେ।

ଓଡ଼ିଶା ‘ବିକଶିତ ଓଡ଼ିଶା’ ଏବଂ ଦେଶ ‘ବିକଶିତ ଭାରତ’ ଦିଗରେ ଅଗ୍ରସର ହେଉଥିବାବେଳେ ଦକ୍ଷତା ବିକାଶ, ନିଯୁକ୍ତି କ୍ଷମତା, ନବସୃଜନ ଓ ଉଦ୍ୟମିତା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ କହିଥିଲେ। ନିଶାମୁକ୍ତ ସମାଜ ଗଠନ ସହ ଅକ୍ଷୟ ଶକ୍ତିର ବ୍ୟବହାର ଓ ପରିବେଶ ସୁରକ୍ଷା ଭଳି ସ୍ଥାୟୀ ବିକାଶମୂଳକ ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ଛାତ୍ରଛାତ୍ରୀମାନେ ଉପଲବ୍ଧ ସୁଯୋଗର ସଦୁପଯୋଗ କରିବା, ନିଜ ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ଉନ୍ନତ କରିବା, ନୂଆ ଚିନ୍ତାଧାରା ପ୍ରତି ଖୋଲା ମନୋଭାବ ରଖିବା ଏବଂ ଶିକ୍ଷକ, ବରିଷ୍ଠ ଓ ବିଶିଷ୍ଟ ପୂରାତନ ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାରୁ ପ୍ରେରଣା ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ସମାରୋହରେ ପୂର୍ବତନ ସାଂସଦ ତଥା ସୁନାମଧନ୍ୟ ସିନେ ବ୍ୟକ୍ତିତ୍ୱ ଡ଼. ପ୍ରଶାନ୍ତ ନନ୍ଦ, ପଦ୍ମଶ୍ରୀ କୁମକୁମ ମହାନ୍ତି, ପ୍ରଫେସର ଡ. ଉମାଚରଣ ମହାନ୍ତି ଏବଂ ଭାରତର ପୂର୍ବତନ କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ଲେଫ୍ଟନେଣ୍ଟ ଗଭର୍ଣ୍ଣର ଡ. ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସିନେମା ଓ ସଂସ୍କୃତି, କଳା, ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ କହିଥିଲେ।

ଏହି ଅବସରରେ ରାଜ୍ୟପାଳ ଆଲୁମନି ଆସୋସିଏସନ୍‌ର ନୂତନ ୱେବସାଇଟ‌ ଉନ୍ମୋଚନ କରିଥିଲେ। ବିଭିନ୍ନ ପିଢ଼ି ଓ ବିଶ୍ୱର ବିଭିନ ସ୍ଥାନରେ ରହୁଥିବା ପୂରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ସହ ଜ୍ଞାନ ବିନିମୟ, ମେଣ୍ଟରିଂ ଓ ବିଶ୍ୱବିଦ୍ୟାଳୟ ସହ ଅଧିକ ସମ୍ପର୍କ ସ୍ଥାପନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ରାଜ୍ୟପାଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ଡ଼. ପ୍ରଶାନ୍ତ ନନ୍ଦ, ପୂର୍ବତନ ସିଏଜି ଡ. ଗିରିଶ ଚନ୍ଦ୍ର ମୁର୍ମୁ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଏବଂ ଆଲୁମନି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ଦାସ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଆଲୁମନି ଆସୋସିଏସନ୍‌ର ସଭାପତି ତଥା ଅବସରପ୍ରାପ୍ତ ଆଇପିଏସ‌ ଅଫିସର ଡ. ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଯୁଗ୍ମ ସମ୍ପାଦକ ପ୍ରଫେସର ବି.କେ. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.