
ଆସିକା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଗହଙ୍ଗୁ ଉପସେବା କେନ୍ଦ୍ର ‘ଓମ୍ ଶାନ୍ତି ଭବନ’ ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରୁ ସର୍ବମୋଟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ଆସ୍କା ଶାନ୍ତି ଶକ୍ତି ଭବନ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦିଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଆସ୍କା ସୁଗାର ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଡ. ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା, କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା, ବରିଷ୍ଠ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା, ଗହଙ୍ଗୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ମନୋଜ କୁମାର ସ୍ୱାଇଁ ଏବଂ ବ୍ରହ୍ମପୁର ବ୍ଲଡ୍ ବ୍ୟାଙ୍କର ଭାରପ୍ରାପ୍ତ ଡାକ୍ତର ଡ. ପୁନମ ବେହେରା ଉପସ୍ଥିତ ଥିଲେ।
ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ସୁଶାନ୍ତ କୁମାର ପଣ୍ଡା ବର୍ତ୍ତମାନ ସମୟରେ ରକ୍ତଦାନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ମାନବସେବାମୂଳକ ରକ୍ତଦାନ ଶିବିର ଆୟୋଜନର ଉଦ୍ଦେଶ୍ୟକୁ ସେ ପ୍ରଶଂସା କରିଥିଲେ।
ଶାନ୍ତି ଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ତତ୍କାଳୀନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ପୁଣ୍ୟତିଥି ଅବସରରେ ସର୍ବଭାରତୀୟ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯାଉ ଥିବାବେଳେ ପ୍ରତ୍ୟେକ ବର୍ଷ ଆସ୍କା ସେବା କେନ୍ଦ୍ର ତଥା ଏହାର ଉପ ସେବା କେନ୍ଦ୍ର ଗୁଡିକରେ ପର୍ଯ୍ୟାୟ କ୍ରମେ ରକ୍ତଦାନ ଶିବିର ଆୟୋଜିତ ହୋଇଆସୁଛି ।
ଉପସ୍ଥିତ ସମସ୍ତ ଅତିଥି ରକ୍ତଦାନକୁ ଏକ ମହତ୍ତମ ମାନବୀୟ ସେବା ଭାବେ ବର୍ଣ୍ଣନା କରିବା ସହ ଯୁବପିଢ଼ି ଓ ସଚେତନ ନାଗରିକଙ୍କୁ ନିୟମିତ ଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ରାଜଯୋଗିନୀ ସ୍ମିତା, ଲୀଳା, ଆସିନା, ପ୍ରଭାତୀ ଓ ବ୍ରହ୍ମାକୁମାର ବୁଲୁ ରାଧାଶ୍ୟାମ, ସୁଦର୍ଶନ ସମେତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ଭାଇ ଓ ଭଉଣୀ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ବ୍ରହ୍ମାକୁମାର ଲକ୍ଷ୍ମଣ ଭାଇ ସମସ୍ତ ଅତିଥି, ରକ୍ତଦାତା, ଡାକ୍ତରୀ ଦଳ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
