
ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ପ୍ରଭାକର ବେହେରା ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଉଠିଥିଲା ।
ଏହି ସମ୍ପତ୍ତିର ଉତ୍ସ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା । ତଦନ୍ତ ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ଧାରା ୧୩(୧)(ଇ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ପରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମାମଲାରେ ପ୍ରଭାକର ବେହେରାଙ୍କ ନାମରେ ଥିବା ଆୟ ଓ ସମ୍ପତ୍ତିର ହିସାବ ଯାଞ୍ଚ କରାଯାଇଥିବା ବେଳେ, ଜଣାଶୁଣା ଆୟର ଉତ୍ସ ସହ ସମ୍ପତ୍ତିର ଅନୁପାତ ନେଇ ଭିଜିଲାନ୍ସ ପକ୍ଷରୁ ଅଭିଯୋଗ ଅଦାଲତରେ ରଖାଯାଇଥିଲା ।
ଭିଜିଲାନ୍ସ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟ ଓ ପ୍ରମାଣକୁ ବିଚାର କରି ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଭାକର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାପରେ ଅଦାଲତ ତାଙ୍କୁ ୩ ବର୍ଷର ସାଧାରଣ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରଭାକର ବେହେରା ଏବେ ଅବସରପ୍ରାପ୍ତ ହୋଇଥିବାରୁ ତାଙ୍କର ପେନ୍ସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।
