
ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ଟ୍ରେନଟି ଆଜି ଅପରାହ୍ନ ପ୍ରାୟ ୨ଟା ୪୫ମିନିଟ୍ରେ ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ପ୍ରାୟ ୫ ମିନିଟ୍ ପରେ, ୨ଟା ୫୦ମିନିଟ୍ ସମୟରେ କଦମପଡ଼ା-ବଲାଙ୍ଗିର ରୋଡ୍ ଷ୍ଟେସନ ଅନ୍ତର୍ଗତ ସନ୍ଥ ରବିଦାସ ନଗର ନିକଟରେ ହଠାତ୍ ଇଞ୍ଜିନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିଲା। ବଗି ଛାଡ଼ି ଇଞ୍ଜିନ ପ୍ରାୟ ଅଧ କିଲୋମିଟର ଆଗକୁ ଚାଲିଯାଇଥିବା ଜଣାପଡ଼ିଛି।
ଚଳନ୍ତା ଟ୍ରେନରୁ ବଗି ଅଲଗା ହୋଇ ଇଞ୍ଜିନ ଆଗକୁ ଚାଲିଯିବା ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ କିଛି ସମୟ ପରେ ଇଞ୍ଜିନକୁ ପଛକୁ ଅଣାଯାଇ ବଗିଗୁଡ଼ିକ ସହ ପୁନଃ ସଂଯୋଗ କରାଯାଇଥିଲା। ଏହି ପ୍ରକ୍ରିୟା ଯୋଗୁଁ ଟ୍ରେନଟି ପ୍ରାୟ ଅଧ ଘଣ୍ଟା ଧରି ଅଟକି ରହିଥିଲା। ପରେ ଟ୍ରେନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।ଏହି ଘଟଣା ପରେ କେତେକ ଯାତ୍ରୀ ଭୟଭୀତ ହୋଇ ଟ୍ରେନରେ ଆଗକୁ ଯାତ୍ରା କରିବାକୁ ଅସୁରକ୍ଷିତ ମଣି ନିଜ ଘରକୁ ଫେରିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
