
ଭଦ୍ରକ : ଭାଲୁକୁଣୀ ଉଷା ପାଇଁ ରେବ ନଦୀରେ ଗାଧୋଇବା ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି । ରେବ ନଦୀର ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ଏଭଳି ଦୁଃଖଦ ଘଟଣା ଘଟିଛି । ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ନାଥସାହି ଗ୍ରାମର ଇପ୍ସିତା ରାଣୀ ନାଥଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ନଦୀକୁ ଯାଇଥିବା ଅନ୍ୟ ୩ ଜଣ ସାଙ୍ଗ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନାଅନୁସାରେ ଆଜି ନାରାୟଣପୁର ଗ୍ରାମର ଶୁଭଶ୍ରୀ ନାଥ, ଅଙ୍କିତା ନାଥ, ରାଧାରାଣୀ ନାଥ ଓ ଇପ୍ସିତା ରାଣୀ ନାଥ ଭାଲୁକୁଣୀ ଉଷା ପାଇଁ ସାଙ୍ଗ ହୋଇ ଫୁଲ ତୋଳିଥିଲେ। ଫୁଲ ଘରେ ରଖିବା ପରେ ସେମାନେ ଗାଧୋଇବା ପାଇଁ ନିକଟସ୍ଥ ରେବ ନଦୀକୁ ଯାଇଥିଲେ। ସେମାନେ ସୀମାନ୍ତ ଚୁଡ଼ାକୁଟି ପଞ୍ଚାୟତ ଅନ୍ତର୍ଗତ ତାମ୍ପଳା ପୋଲ ନିକଟ ରେବ ନଦୀରେ ଗାଧୋଇବା ବେଳେ ହଠାତ୍ ପ୍ରଖର ବନ୍ୟାସ୍ରୋତରେ ୪ ଜଣ ଭାସିଯାଇଥିଲେ। ୩ ଜଣ କୌଣସିମତେ କୂଳକୁ ଉଠିଆସିଥିବା ବେଳେ ଇପ୍ସିତାଙ୍କ ପତ୍ତା ମିଳିନଥିଲା ।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟ ପରେ ଇପ୍ସିତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଶେଷ କୃତ୍ୟ ହୋଇଛି । ଇପ୍ସିତା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
