
ବ୍ରହ୍ମପୁର: ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ଭବିଷ୍ୟତ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ, ସ୍ୱାଧୀନତା ଦିବସ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକ ଓ କର୍ମଚାରୀମାନଙ୍କୁ ‘ଗ୍ରୀନ୍ ଚାମ୍ପିଅନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା ( ପି ଏମ୍ ଏସ ଜି: ଏମ୍ ବି ଉଆଇ) ଅଧୀନରେ ପ୍ରଥମ ସୌର ସଂଯୋଗ ଗ୍ରହଣ କରିଥିବା ୩୨ ଜଣ ଗ୍ରାହକ ଏବଂ ସୌର ଶକ୍ତିର ପ୍ରସାର ଓ ଗ୍ରାହକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୧ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ଛାତ ଉପରେ ସୌର ଶକ୍ତିର ବ୍ୟବହାର ଓ ପ୍ରସାରକୁ ଆଗେଇ ନେବାରେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିଛି।
ଟିପିଏସ୍ଓଡିଏଲର ୬ଟି ସର୍କଲ୍ ଅଧୀନରେ ଥିବା ୮ଟି ଜିଲ୍ଲାରୁ ପ୍ରତ୍ୟେକ ଜିଲ୍ଲାର ୪ ଜଣ ଲେଖାଏଁ, ମୋଟ ୩୨ ଜଣ ଗ୍ରାହକଙ୍କୁ ଛାତ ଉପରେ ସୌର ଶକ୍ତି ଆପଣାଇ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ସୌର ଶକ୍ତିକୁ ଆପଣାଇ ସେମାନେ କେବଳ ନିଜର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିନାହାନ୍ତି, ବରଂ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରି ପରିବେଶ ସୁରକ୍ଷାରେ ମଧ୍ୟ ନିଜର ଅବଦାନ ରଖିଛନ୍ତି। ଏହି ସମ୍ମାନ ସେମାନଙ୍କ ସଚେତନତା ଓ ପରିବେଶ ପ୍ରତି ଦାୟିତ୍ୱବୋଧର ସ୍ୱୀକୃତି ସ୍ୱରୂପ।
ସେହିପରି, ସୌର ଶକ୍ତି ଆପଣାଇବାର ସମଗ୍ର ପ୍ରକ୍ରିୟାରେ ଗ୍ରାହକମାନଙ୍କୁ ସହଯୋଗ କରିଥିବା ଟିପିଏସ୍ଓଡିଏଲର କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ ପ୍ରୟାସ ପାଇଁ ସମ୍ମାନିତ କରାଯାଇଛି। ପଞ୍ଜୀକରଣ ଓ ଆବଶ୍ୟକ ଦଲିଲପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ସୌର ପ୍ରକଳ୍ପର ସ୍ଥାପନ, ଯାଞ୍ଚ, କାର୍ଯ୍ୟକ୍ଷମତା ନିର୍ଦ୍ଧାରଣ ଓ ସବ୍ସିଡି ପ୍ରଦାନ ପର୍ଯ୍ୟନ୍ତ ସେମାନେ ଗ୍ରାହକମାନଙ୍କୁ ନିରନ୍ତର ସହଯୋଗ ପ୍ରଦାନ କରିଛନ୍ତି। ସେମାନଙ୍କ ସକ୍ରିୟ ଓ ଦାୟିତ୍ୱପୂର୍ଣ୍ଣ ଭୂମିକା ଗ୍ରାହକମାନଙ୍କ ପାଇଁ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ଆଡ଼କୁ ପରିବର୍ତ୍ତନର ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରିଛି।
ସମ୍ବର୍ଦ୍ଧିତ ‘ଗ୍ରୀନ୍ ଚାମ୍ପିଅନ୍’ ଭାବେ ନିଜ ଅନୁଭୂତି ବ୍ୟକ୍ତ କରି ରାୟଗଡ଼ା ଜିଲ୍ଲା ଗୁଣପୁରର ଗ୍ରାହକ ମୁରଲୀଧର ପଣ୍ଡା କହିଛନ୍ତି, “ଏହି ସ୍ୱାଧୀନତା ଦିବସରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗ୍ରୀନ୍ ଚାମ୍ପିଅନ୍’ ଭାବେ ସମ୍ମାନିତ ହୋଇ ମୁଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି। ଆମ ସମାଜ ପାଇଁ ଏକ ସ୍ଥାୟୀ ଓ ସୁନ୍ଦର ଭବିଷ୍ୟତ ଗଠନରେ ମୁଁ ନିଜର ଛୋଟ ଅବଦାନ ରଖିପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ୩ କିଲୋୱାଟ୍ର ଏକ ସୌର ପ୍ରକଳ୍ପ ସ୍ଥାପନ କରିଛି, ଯାହା ଫଳରେ ମାସିକ ବିଦ୍ୟୁତ୍ ବିଲ୍ରେ ପ୍ରାୟ ୧,୫୦୦ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରୁଛି। ଏଥିସହ ମୋତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବ୍ସିଡି ସହାୟତା ମଧ୍ୟ ମିଳିଛି। ସୌର ଶକ୍ତି ଆପଣାଇବା, ମୋ ପାଇଁ ଏକ ଅତ୍ୟନ୍ତ ସନ୍ତୋଷଜନକ ଓ ଲାଭଦାୟକ ଅନୁଭବ ହୋଇଛି।”
ଏହି ଅବସରରେ ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆଜି ସମ୍ବର୍ଦ୍ଧିତ ହୋଇଥିବା ‘ଗ୍ରୀନ୍ ଚାମ୍ପିଅନ୍’ ମାନେ ସ୍ୱଚ୍ଛ ଶକ୍ତି ଆଡ଼କୁ ଭାରତର ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସାମୂହିକ ଚେତନତାର ପ୍ରତୀକ। ଆମ ଗ୍ରାହକମାନେ ପ୍ରମାଣ କରିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଛୋଟ ପଦକ୍ଷେପ ମଧ୍ୟ ପରିବେଶ ଓ ସମାଜ ଉପରେ ବଡ଼ ପ୍ରଭାବ ପକାଇପାରେ। ସେହିପରି, ଆମ କର୍ମଚାରୀମାନେ ଗ୍ରାହକମାନଙ୍କ ସହ ନିକଟତର ହୋଇ କାର୍ଯ୍ୟ କରି ସୌର ଶକ୍ତି ଆପଣାଇବାର ସମଗ୍ର ପ୍ରକ୍ରିୟାକୁ ସରଳ କରିଛନ୍ତି। ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଅକ୍ଷୟ ଶକ୍ତିକୁ ଅଧିକ ସୁଲଭ, ସ୍ୱଳ୍ପ ବ୍ୟୟସାଧ୍ୟ ଓ ସୁବିଧାଜନକ କରିବା ଦିଗରେ ନିଜର ପ୍ରତିବଦ୍ଧତାକୁ ଜାରି ରଖିବ।”
ଛାତ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଗ୍ରାହକମାନଙ୍କ ଠାରୁ ଟିପିଏସ୍ଓଡିଏଲ୍ ନିକଟରେ ୫୧,୦୦୦ରୁ ଅଧିକ ଆବେଦନ ଗ୍ରହଣ କରିଛି। ଏହା ଅଞ୍ଚଳରେ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ପ୍ରତି ବଢ଼ୁଥିବା ଆଗ୍ରହ ଏବଂ ଏହାର ବ୍ୟବହାରକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି।
