ଲଗାଣ ବର୍ଷାରେ ବେହାଲ୍ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି

Independence

କୋରାପୁଟ : ଉତ୍ତର ପରେ ବୁଡ଼ିଲା ଦକ୍ଷିଣ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ କୋଟପାଡ଼ ଅଞ୍ଚଳ । ଗୁମୁଡା, ସଡ଼ରଙ୍ଗା, ବଣିଆ, ସୁତିପଦର ପଞ୍ଚାୟତର ୧୫ରୁ ଅଧିକ ଗାଁଜଳମଗ୍ନ । ଇନ୍ଦ୍ରାବତୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ପତନ ବୃଦ୍ଧି ହୋଇଛି ଫଳରେ ୪ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ସୁଦ୍ଧା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ବିଳମ୍ବିତ ରାତିରେ ହଠାତ ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ ।  ପ୍ରଶାସନ ତରଫରୁ ଓଡ୍ରାଫ ଓ କୋଟପାଡ଼ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେହିପରି ଦୁଇ ଦିନର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲା ସ୍ଥିତି ବେହାଲ୍‌ ହୋଇପଡ଼ିଛି । ଇନ୍ଦ୍ରାବତୀ ସମେତ ଟୁରୀ, ଗୁନଥାଟ, ଅଙ୍ଗୀ ଓ ବରେହୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ନବରଙ୍ଗପୁର-ଡାବୁଗାଁ-ଇନ୍ଦ୍ରାବତୀ-ଖାତିଗୁଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୯୯୬.୩୩ ମିମି ବର୍ଷା ହୋଇଛି । ବହୁ ଘର ଭାଙ୍ଗିଥିବାବେଳେ ଭାରତମାଳା ରାଜପଥରେ ବନ୍ୟାଜଳ ଲହଡ଼ି ଭାଙ୍ଗି ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ଇନ୍ଦ୍ରାବତୀ ଜଳସ୍ତର ବଢ଼ିବା ପରେ ନବରଙ୍ଗପୁର ସହର ଜଳମଗ୍ନ ହୋଇଛି । ଅନେକ ଘରେ ପାଣି ପଶିଛି । ହଜାର ହଜାର ହେକ୍ଟର ଜମିରେ ଧାନରୁଆ ସରିଥିବା ବେଳେ ବର୍ଷାପାଣି ଜମି ରହିବା କାରଣରୁ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ବର୍ଷାରେ ଜଟାବାଲ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରବାହିତ ଯୋଗୁଁ ନବରଙ୍ଗପୁର-ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିପରି ଲଗାଣ ବର୍ଷାରେ କଳାହାଣ୍ଡିରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଥୁଆମୂଳ ରାମପୁର, ଜୟପାଟଣା ଓ କଲମପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଛି ନଦୀ ଜଳସ୍ତର। ପରୁଆଗୁଡ଼ା ତଳପଡ଼ାରେ ହାତୀ ନଦୀର ପାଣି ପଶିବାରୁ ପ୍ରାୟ ୨୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବୋଦେଲବନ୍ଧ ଗାଁର ୪୩ ପରିବାର ମଧ୍ୟ ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି । ସେହିପରି ଇଚ୍ଛାପୁର-ବରଗାଁ ରାସ୍ତା ଉପରେ ପାଣି ଚାଲୁଥିବାରୁ କଲମପୁରରୁ ଜୁନାଗଡ଼ ଯାତାୟାତ ଠପ୍ ହୋଇଯାଇଛି । ସେପଟେ ଅନେକ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି ।

ad-week
Leave A Reply

Your email address will not be published.