
ସୁନ୍ଦରଗଡ଼ : ବନ୍ଧପାଲି ନିକଟସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ ପକ୍ଷରୁ ଗତକାଲି ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଓରାମ ସାଂସ୍କୃତିକ ସମାଜର ସଦସ୍ୟ ଓ ସଦସ୍ୟାମାନଙ୍କ ସହିତ ୨ଟି କୃଷକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।
ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ, ସକ୍ଷମ ଅନୁଷ୍ଠାନ ସହିତ ସିଧାସଳଖ ଯୋଗାଯୋଗ ବୃଦ୍ଧି କରିବା ଏବଂ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବା। ସେହିପରି ଜନସାଧାରଣଙ୍କ ସମସ୍ୟା ଓ ଅସୁବିଧାଗୁଡ଼ିକୁ ସଠିକ୍ ଭାବରେ ଉତ୍ଥାପନ କରିବା ସହ ଜନମଙ୍ଗଳ କାର୍ଯ୍ୟ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଏକ ସାମୂହିକ ମଞ୍ଚ ଗଠନ ଉପରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ, ଆୟ ବୃଦ୍ଧି, ବିଭିନ୍ନ ତାଲିମ କାର୍ଯ୍ୟକ୍ରମ, ଉତ୍ପାଦକୁ ବଜାର ସହିତ ସଂଯୋଜନ ଏବଂ ସାମୂହିକ ଉତ୍ପାଦନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସଭାପତି ଉମେଶ ବାବୁ ଅତିଥି ଓ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। ସକ୍ଷମର ସମ୍ପାଦକ କଳାକୃଷ୍ଣ ଓରାମ ସଂସ୍ଥାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ସମାଜ ଗଠନରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଏବଂ ଆର୍ଥିକ ସ୍ୱାବଲମ୍ବନ ପାଇଁ ଆହ୍ୱାନ ଜଣାଇଥିଲେ।
ସଦସ୍ୟ ସୂରଜ ସିଂ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ କିପରି ନିଜକୁ ସୁଦୃଢ଼ କରିପାରିବେ, ବର୍ତ୍ତମାନ ଓ ଭବିଷ୍ୟତରେ ଏହାର ଗୁରୁତ୍ୱ କ’ଣ ରହିଛି ସେ ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ।
ଉପସ୍ଥିତ ସଦସ୍ୟମାନେ ନିଜ ମତାମତ ମାଧ୍ୟମରେ ସକ୍ଷମର ସହଯୋଗ କାମନା କରିଥିଲେ। ଏହାର ଉତ୍ତରରେ ସମ୍ପାଦକ ଶ୍ରୀ ଓରାମ ସମସ୍ତ କ୍ଷେତ୍ରରେ ସକ୍ଷମ ପକ୍ଷରୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେ କହିଥିଲେ ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ଜୀବନଜୀବିକାର ଉନ୍ନତି, ସ୍ୱାବଲମ୍ବନ ଓ ସାମାଜିକ ବିକାଶ ଦିଗରେ ସକ୍ଷମ ସଦା ଉତ୍ସର୍ଗୀକୃତ ରହିବ। ଏହା ସହିତ ଲଘୁ ବନଜାତ ଦ୍ରବ୍ୟ ମାଧ୍ୟମରେ ଜନଜାତି ସମୁଦାୟର ଆୟ ବୃଦ୍ଧିର ସମ୍ଭାବନା ଓ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।
ଶେଷରେ ସମସ୍ତ ସଦସ୍ୟ ସକ୍ଷମର କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ସମନ୍ୱିତ ଭାବରେ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ ଏବଂ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠନର ସମସ୍ତ ସଦସ୍ୟ ସହଯୋଗ କରି ସୁଚାରୁ ରୂପେ ସମ୍ପାଦନ କରିଥିଲେ।
