ସୁସ୍ମିତା ଆଣିଲେ ଗୌରବ

Independence

ସୁନ୍ଦରଗଡ : ବିଜ୍ଞାନ ସଦା ବେଳେ ଚାହେଁ ପ୍ରୋତ୍ସାହନ। କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନକୁ ଆଗକୁ ବଢ଼ାଇବା ପାଇଁ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଅବଦାନ ଅତ୍ୟନ୍ତ ଜରୁରୀ। ଶିକ୍ଷାର୍ଥୀଙ୍କ ମନ ଭିତରେ ସେହି ଭାବନାକୁ ଜାଗ୍ରତ କରିବା ପାଇଁ ସେହି ଭଳି ପ୍ରେରଣାଦାୟୀ ଓ ଉତ୍ସର୍ଗୀକୃତ ଶିକ୍ଷକ ଅନେକ ପରିଶ୍ରମ କରିଥାନ୍ତି। ସେହି ଭଳି ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା କେମିକାଲ ସୋସାଇଟି ପ୍ରତି ବର୍ଷ ଶରତ ଚନ୍ଦ୍ର ବିଜ୍ଞାନ ପ୍ରୋତ୍ସାହନ ସମ୍ମାନରେ ସମ୍ମାନୀତ କରିଥାଏ। ଚଳିତ ବର୍ଷ ସ୍ଥାନୀୟ ସୁନ୍ଦରଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଓ ଓଡ଼ିଶା କେମିକାଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଉପସ୍ଥିତ ବିଶିଷ୍ଟ ଶିକ୍ଷାବିତ, ଗବେଷକ, ଶିଳ୍ପପତି ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି ସମ୍ମାନଜନକ ସମ୍ମାନ ମିଳିଛି ଛତାବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ଯୋଷୀଙ୍କୁ। ପ୍ରକାଶ ଯୋଗ୍ୟ ଯେ ଶ୍ରୀମତୀ ଯୋଷୀ ଜିଲ୍ଲାର ଜଣେ ସୁନାମଧନ୍ୟ ଶିକ୍ଷୟିତ୍ରୀ ଭାବରେ ବେଶ୍ ଜଣାଶୁଣା।

ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ପଦୋନ୍ନତି ପାଇବା ପୂର୍ବରୁ ସେ ସୁନ୍ଦରଗଡ ସ୍ଥିତ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ ଅବସ୍ଥାପିତ ଥିଲେ। ସେହି ସମୟରେ ସେ ଜିଲ୍ଲା ଓ ରାଜ୍ୟସ୍ତରୀୟ ସାଧନକର୍ମୀ ଭାବରେ ଅନେକ କାର୍ଯ୍ୟକ୍ରମରେ ଭାଗନେଇ ସୁନାମ ଅର୍ଜନ କରିଥିଲେ। ଜିଜ୍ଞାସା ପାଠ୍ୟକ୍ରମରେ ସେ ସମ୍ପାଦନା ମଣ୍ଡଳୀରେ ସ୍ଥାନ ପାଇଥିଲେ ତଥା ଓସେପା ଓ ଇ – ବିଦ୍ୟା ଚ୍ୟାନେଲ କାର୍ଯ୍ୟକ୍ରମ ଅନ୍ତର୍ଗତ ଇ- କମେଣ୍ଟ ପ୍ରସ୍ତୁତିରେ ମଧ୍ୟ ସେ ରାଜ୍ୟସ୍ତରୀୟ ଦଳରେ ଥିଲେ। ନିଜର ସୃଜନଶୀଳ ଚିନ୍ତାଧାରା, ସ୍ୱଳ୍ପ ବ୍ୟୟଯୁକ୍ତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପଠନରେ ତାର ବ୍ୟବହାର, ପ୍ରକୃତି ଭିତ୍ତିକ ଶିକ୍ଷା ପ୍ରଦାନ କରି ସେ ଶିକ୍ଷାର୍ଥୀଙ୍କ ଗହଣରେ ଉଚ୍ଚ ପ୍ରଶଂସିତ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଭର୍ଚୁଆଲ କ୍ଲାସରେ ତାଙ୍କ ଶିକ୍ଷାଦାନ ଅତ୍ୟନ୍ତ ଗ୍ରହଣୀୟ ବୋଲି ଶିକ୍ଷାର୍ଥୀ ମାନେ ପ୍ରକାଶ କରନ୍ତି। ଏହା ବ୍ୟତିରେକ ଶ୍ରେଣୀରୁ କୌଣସି ଶିକ୍ଷାର୍ଥୀ ଏକାଧିକ ଦିନଧରି ଅନୁପସ୍ଥିତ ରହିଲେ ପ୍ରତ୍ୟକ୍ଷ ଭାବରେ ତାଙ୍କ ଘରକୁ ଯାଇ ଘରଲୋକଙ୍କୁ ଭେଟି ଆଲୋଚନା କରି ଶିକ୍ଷାର୍ଥୀଙ୍କ ଅସୁବିଧା ବୁଝିବା ତାଙ୍କ ଏକ ଚିରାଚରିତ କାର୍ଯ୍ୟଶୈଳୀ ବୋଲି ପ୍ରକାଶ କରନ୍ତି ତାଙ୍କ ସହକର୍ମୀ। ସୁସ୍ମିତାଙ୍କ ଏହି ସମ୍ମାନ ପାଇଁ ତାଙ୍କୁ ଶିକ୍ଷକ ମହଲରୁ ତଥା ଜନସାଧାରଣ ଠାରୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.