ପ୍ରଶାସନିକ ଅବହେଳାର ଚିତ୍ର : ମୌଳିକ ସୁବିଧାରୁ ବଞ୍ଚିତ ନଦୀକୂଳିଆ ଗ୍ରାମ ‘ତେନ୍ତୁଳିପଦର’

Independence

କୋଟପାଡ଼/କୋରାପୁଟ : ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଯୋଜନା ଯେମିତି କୋଟପାଡ଼ ବ୍ଲକର ଆଭ୍ୟନ୍ତରୀଣ ନଦୀକୂଳିଆ ଗାଁ ‘ତେନ୍ତୁଳିପଦର’ ପାଇଁ ସାତସପନ ପାଲଟିଛି। ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲେ ମଧ୍ୟ ସେମାନେ ପ୍ରଶାସନିକ ଉଦାସୀନତା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇ କାଦୁଅ ପଚପଚ ଅବସ୍ଥାରେ ପଡ଼ିରହିଛି। ଅନ୍ୟପକ୍ଷରେ, ଗ୍ରାମର ପ୍ରାଥମିକ ବିଦ୍ୟାଳୟଟି ଦୁଇ ବର୍ଷ ତଳୁ ବନ୍ଦ ହୋଇଯିବା ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ପିଲାମାନେ ପ୍ରାୟ ୩ କିଲୋମିଟର ଦୂର ଛତର୍ଲା ପଞ୍ଚାୟତ ସଦର ବିଦ୍ୟାଳୟକୁ ଖରା, ବର୍ଷା ଓ ଶୀତରେ ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ବର୍ଷାଦିନେ ରାସ୍ତାରେ ଯାତାୟାତ ସମ୍ଭବ ନ ହେବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇ ଘରେ ବସି ରହୁଛନ୍ତି।

ଗ୍ରାମର ଶେଷମୁଣ୍ଡ ମଶାଣି ଯିବା ରାସ୍ତା ପାର୍ଶ୍ୱରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଛି, ଯେଉଁଠାରେ ୧୦ ଜଣ ଶିଶୁ ପ୍ରାକ୍-ଶିକ୍ଷା ପାଇଁ ପଞ୍ଜୀକୃତ ଅଛନ୍ତି। ପାଚିକା ପଦବୀ ଖାଲି ପଡ଼ିଥିବାରୁ ଜଣେ ଗର୍ଭବତୀ ଅଙ୍ଗନବାଡ଼ି କର୍ମୀ ନିଜ ଘରେ ରୋଷେଇ କରି ଅଳ୍ପ କିଛି ଶିଶୁଙ୍କୁ ଖାଦ୍ୟ ଦେଇ କାମ ସାରିଦେଉଛନ୍ତି। ଗ୍ରାମବାସୀ ଓ ୱାର୍ଡ ସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଏହି କେନ୍ଦ୍ରରେ ନିୟମିତ ଭାବେ ଅଣ୍ଡା କିମ୍ବା ଛତୁଆ ବଣ୍ଟନ କରାଯାଉନାହିଁ ଏବଂ ପିଲାମାନଙ୍କୁ ଆଜି ପର୍ଯ୍ୟନ୍ତ ପୋଷାକ ମଧ୍ୟ ମିଳିନାହିଁ।

ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ଘୋର ଅବହେଳା କାରଣରୁ ତେନ୍ତୁଳିପଦର ଗ୍ରାମବାସୀଙ୍କ ଜୀବନଧାରଣ ମାନ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ତୁରନ୍ତ ରାସ୍ତା ନିର୍ମାଣ, ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ ଓ ଅଙ୍ଗନବାଡ଼ି ସେବା ସୁଧାରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.