
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବଣବୁଣାପଲ୍ଲୀ ନିକଟସ୍ଥ ନରସିଂହପୁର ଗ୍ରାମରେ ଲିଜ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ମୋରମ ଓ ମାଟି ଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। ଅନୁମତି ତୁଳନାରେ ଦୈନିକ ଶହ ଶହ ଗାଡ଼ି ମୋରମ ବେଆଇନ ଭାବେ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।
ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୨୧ ତାରିଖରେ ଭୁବନେଶ୍ୱର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ କରାଯାଇ ଲିଜଧାରୀ ଦିଗାମ୍ବର ପାଣିଗ୍ରାହୀଙ୍କ ଉପରେ ପ୍ରାୟ ୯୬,୫୮,୨୩୫ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିଲା। ନିୟମ ଅନୁସାରେ ଜରିମାନା ଅର୍ଥ ପୈଠ ନକରିବା ପର୍ଯ୍ୟନ୍ତ କ୍ୱାରି କାର୍ଯ୍ୟ ବନ୍ଦ ରହିବା କଥା। ମାତ୍ର ରାଜନୈତିକ ପ୍ରଭାବ ଓ କେତେକ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ମୋରମ କ୍ୱାରି ଅବାଧରେ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ନୀଳକଣ୍ଠ ରେଡ୍ଡୀ ଅଭିଯୋଗ କରିଛନ୍ତି।
ଶ୍ରୀ ରେଡ୍ଡୀଙ୍କ କହିବା ଅନୁଯାୟୀ, ଉକ୍ତ କ୍ୱାରିରୁ ବାର୍ଷିକ ୫୫,୮୦୦ ଘନ ମିଟର ମୋରମ ଉତ୍ତୋଳନ ପାଇଁ ଅନୁମତି ଥିବା ବେଳେ ମାସକୁ ପ୍ରାୟ ୩୦,୦୦୦ ଘନ ମିଟରରୁ ଊର୍ଦ୍ଧ୍ୱ ମୋରମ ଚୋରା ଚାଲାଣ କରାଯାଇ ଟାଟା ଭଳି ବୃହତ କମ୍ପାନୀ ତଥା ସ୍ଥାନୀୟ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବିକ୍ରି କରାଯାଉଛି। ମାସିକ ୧୦୦ ଟ୍ରିପ୍ ପାଇଁ ଅନୁମତି ଥିବା ବେଳେ ୧୦୦୦ରୁ ଅଧିକ ଟ୍ରିପ୍ ଚାଲାଣ କରାଯାଉଛି। ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ରାଜନୈତିକ ତଥା ପ୍ରଶାସନିକ ଚାପ ପକାଇ ପରୋକ୍ଷରେ ଧମକ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।
ଏଭଳି ବେଆଇନ କାରବାର ଫଳରେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବା ବେଳେ ପରିବେଶ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ୁଛି। ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଜାତୀୟ ସବୁଜ ପ୍ରାଧିକରଣ (NGT) ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସମସ୍ତ ବେଆଇନ ବାଲି, ପଥର ଓ ମୋରମ ଖାଦାନ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଖଣି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣଧାରଣା ଦିଆଯିବ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି।
