
ପୁରୀ: ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି । ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ । ତିନି ରଥ ସମ୍ପୂର୍ଣ ଭାଙ୍ଗିବା ପାଇଁ ୧୦ ରୁ ୧୨ଦିନ ସମୟ ଲାଗିଥାଏ।
ରଥ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଦେବୀ ସୁଭଦ୍ରାଙ୍କ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ରଥଭଙ୍ଗା ସମୟରେ ରଥ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
