ଶିମିଳିପାଳରେ ୪ ଶାବକ ଜନ୍ମ ଦେଲା ‘ଜିନ୍ନତ୍’, ଖୋଲାଯିବ ରେଡିଓ କଲାର

Independence

ବାରିପଦା : ଶିମିଳିପାଳ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବନ ବିଭାଗ । ବର୍ଷା ଋତୁ ପରେ ବିଚାର ବିମର୍ଶ କରି ବାଘୁଣୀ ‘ଜିନ୍ନତ୍’କୁ ସ୍ଥାୟୀ ଭାବରେ ଏନକ୍ଲୋଜର୍ରୁ ମୁକ୍ତ କରିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ‘ଜିନ୍ନତ୍’ ଶିମିଳିପାଳରେ ସଫଳତାର ସହ ସ୍ଥିର ରହିବା ସହ ଶିମିଳିପାଳର ଅନ୍ୟ ବାଘ ମାନଙ୍କ ଭଳି ସାଧାରଣ ବିଚରଣ କରୁଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ବାଘୁଣୀ ଯମୁନା ଉପରେ ରହିବ ନଜର ।

ସବୁଠାରୁ ବଡ଼ କଥା ହେଉଛି ବିନା ଟ୍ରାଙ୍କୁଲାଇଜରେ ଖୋଲିବ କଲାର । ଏହି ରେଡିଓ କଲାରକୁ ରିମୋଟ୍ ଜରିଆରେ ସ୍ୱୟଂଚାଳିତ ଭାବେ ବାହାର କରାଯିବ । ଯାହା ଫଳରେ ବାଘୁଣୀକୁ ନିଶ୍ଚେତକ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ପରେ ବନ କର୍ମଚାରୀ ମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରିବେ । ଶିମିଳିପାଳରେ ମହାବଳ ବାଘ ସଂଖାରେ ବୃଦ୍ଧି ସହିତ କଳାବାଘ ସଂଖ୍ୟାରେ ନିୟନ୍ତ୍ରଣ ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା ଯାହା ସମ୍ପୂର୍ଣ୍ଣ ଭାବେ ସଫଳତା ଆଡ଼କୁ ଗତି କରୁଛି ।

ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ୨୦୨୪ ମସିହାରେ ପ୍ରଥମେ ଯମୁନା ଏବଂ ପରେ ‘ଜିନ୍ନତ୍’କୁ ଶିମିଳିପାଳ ଅଣାଯାଇଥିଲା । ନଭେମ୍ବର ୨୦୨୪ରେ ଶିମିଳିପାଳ ଆସିଥିଲା ‘ଜିନ୍ନତ୍’ । ସେତେବେଳକୁ ତାକୁ ୪ବର୍ଷ ବୟସ ହୋଇଥିଲା । ‘ଜିନ୍ନତ୍’ ଗତ ମେ’ ୨୦୨୬ରେ ୪ଟି ଶାବକଙ୍କୁ ଜନ୍ମ ଦେଇ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଦେଇଛି। ଅପରପକ୍ଷରେ, କୁଲଡିହା ଜଙ୍ଗଲରେ ଥିବା ଅନ୍ୟତମ ବାଘୁଣୀ ‘ଯମୁନା’ ଏପର୍ଯ୍ୟନ୍ତ ବଂଶବୃଦ୍ଧି କରିନଥିବାରୁ ତା’ ଉପରେ ପୂର୍ବଭଳି ରେଡିଓ କଲାର ମାଧ୍ୟମରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସଟିଆର) କ୍ଷେତ୍ର ନିର୍ଦ୍ଦେଶକ ଡ଼ା. ପ୍ରକାଶ ଚାନ୍ଦ ଗୋଗିନେନୀ।

ad-week
Leave A Reply

Your email address will not be published.