
ଭୁବନେଶ୍ୱର : ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା । ଓଡ଼ିଶାର ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର । ରାଜ୍ୟର ୨୦ ଲକ୍ଷ ଗାଡ଼ିକୁ ‘ପରମାନେଣ୍ଟ ଆର୍କାଇଭ୍ ’କୁ ପଠାଯାଇଥିବା ବେଳେ ସେଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବା RC ବାତିଲ୍ ହୋଇଥିବା ରିପୋର୍ଟ ଆସିଛି । ଏହା ସହ ଆଉ ପ୍ରାୟ ୩୦ ଲକ୍ଷ ଗାଡ଼ିକୁ ‘ଟେମ୍ପୋରାରୀ ଆର୍କାଇଭ୍ ’ରେ ରଖାଯାଇଛି । ଆବଶ୍ୟକ କାଗଜପତ୍ର ନବୀକରଣ ନହେଲେ ଆଗକୁ ଏହି ଗାଡ଼ିଗୁଡ଼ିକ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନୂଆ ଭେଇକିଲ୍ କ୍ଲାସିଫିକେସନ୍ ବ୍ୟବସ୍ଥା ଅନୁସାରେ VAHAN ଡାଟାବେସ୍ ରେ ଥିବା ତଥ୍ୟ ଆଧାରରେ ଗାଡ଼ିଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଉଛି । RC ସମେତ ଆବଶ୍ୟକ କାଗଜପତ୍ରର ମିଆଦ ଓ ନବୀକରଣ ସ୍ଥିତିକୁ ଦେଖି ଗାଡ଼ିଗୁଡ଼ିକୁ ବିଭିନ୍ନ ବର୍ଗରେ ରଖାଯାଉଛି । ଦୀର୍ଘ ସମୟ ଧରି ଆବଶ୍ୟକ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକ ଏହି ପ୍ରକ୍ରିୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରାୟ ୧ କୋଟି ୧୦ ଲକ୍ଷ ଘରୋଇ ଓ ବ୍ୟବସାୟିକ ଗାଡ଼ି ପଞ୍ଜୀକୃତ ଅଛି । କିନ୍ତୁ ସେଥିମଧ୍ୟରୁ ପ୍ରାୟ ୪୦ ଲକ୍ଷ ଗାଡ଼ିର ସମସ୍ତ ଆବଶ୍ୟକ କାଗଜପତ୍ର ଠିକ୍ ଥିବା କୁହାଯାଉଛି । ପ୍ରାୟ ୬୫ ଲକ୍ଷ ଗାଡ଼ିର ବୈଧ ବୀମା ନଥିବା ମଧ୍ୟ ରିପୋର୍ଟ ହୋଇଛି । ସବୁଠାରୁ ବଡ଼ କଥା ହେଉଛି, RC ବାତିଲ୍ ହୋଇଥିବା ଗାଡ଼ିକୁ ସାଧାରଣ ରାସ୍ତାରେ ଚଳାଇବା ଆଇନସମ୍ମତ ନୁହେଁ । ତେଣୁ ଗାଡ଼ି ମାଲିକମାନେ ନିଜ ଗାଡ଼ିର RC ସ୍ଥିତି ସହ ବୀମା, PUC ଏବଂ ଅନ୍ୟ ଆବଶ୍ୟକ କାଗଜପତ୍ର ବୈଧ ଅଛି କି ନାହିଁ ତୁରନ୍ତ ଯାଞ୍ଚ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ‘ଟେମ୍ପୋରାରୀ ଆର୍କାଇଭ୍ ’ରେ ଥିବା ପ୍ରାୟ ୩୦ ଲକ୍ଷ ଗାଡ଼ି ମାଲିକଙ୍କ ପାଇଁ ଏବେ ସତର୍କ ହେବାର ସମୟ । ଆବଶ୍ୟକ କାଗଜପତ୍ର ନବୀକରଣ କରି ନିଜ ଗାଡ଼ିର ରେକର୍ଡ ଅପଡେଟ୍ ରଖିବାକୁ କୁହାଯାଇଛି ।
