
ନୟାଗଡ଼ (ନିସର୍ତ୍ତ): ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା ଗୋପାଳପୁର ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକର ୨୦ ଜଣ ସେବାନିବୃତ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବାନିବୃତ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଦୀର୍ଘ ଶିକ୍ଷା ସେବାକୁ ସମ୍ମାନ ଜଣାଇଥିଲେ। ସେ କହିଥିଲେ, “ଶିକ୍ଷକଙ୍କ ଚାକିରିରୁ ଅବସର ହୋଇପାରେ, କିନ୍ତୁ ଜଣେ ଶିକ୍ଷକଙ୍କ ଜ୍ଞାନ, ଅଭିଜ୍ଞତା ଓ ସମାଜ ପ୍ରତି ଅବଦାନରୁ କେବେ ଅବସର ହୁଏ ନାହିଁ।” ଶିକ୍ଷକମାନେ ନିଜର ଜୀବନର ଅମୂଲ୍ୟ ସମୟକୁ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଉତ୍ସର୍ଗ କରିଥିବାରୁ ସେମାନଙ୍କ ପ୍ରତି ସମାଜ ସବୁବେଳେ କୃତଜ୍ଞ ରହିବ ବୋଲି ମତପ୍ରକାଶ କରିଥିଲେ।
ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ତରାଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷକମାନଙ୍କ ଅବଦାନ ଓ ସେମାନଙ୍କ ନିଷ୍ଠାପର ସେବା ସମ୍ପର୍କରେ ଆଲୋକପାତ କରିଥିଲେ।
ସ୍ୱତନ୍ତ୍ର ଅତିଥି ଭାବେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତ ରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଭୟ କୁମାର ମଲ୍ଲିକ ଯୋଗଦେଇଥିଲେ।
ଏହି ଅବସରରେ ରଣପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ଶିକ୍ଷାବିତ ଅଶୋକ କୁମାର ଦାଶ ଓ ଜଗନ୍ନାଥ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ମହାପାତ୍ର ଏବଂ ସମ୍ପାଦକ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବ୍ଲକର ବିଭିନ୍ନ ସର୍କଲର ସଭାପତି, ସମ୍ପାଦକଙ୍କ ସମେତ ଶିକ୍ଷକ ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ସେବାନିବୃତ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସମୟରେ ସଭାସ୍ଥଳ ଭାବବିହ୍ୱଳ ହୋଇଉଠିଥିଲା। ଦୀର୍ଘ ଶିକ୍ଷାସେବା ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ସୁସ୍ଥ, ସୁଖମୟ ଓ ଶାନ୍ତିପୂର୍ଣ୍ଣ ଅବସର ଜୀବନ ପାଇଁ ଅତିଥିମାନେ ଶୁଭକାମନା ଜଣାଇଥିଲେ।
