ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ : ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

Independence

ନୟାଗଡ଼ (ନିସର୍ତ୍ତ): ପବିତ୍ର ଗୁରୁ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବରେ ରଣପୁର ଅଞ୍ଚଳର ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପ ଓ ଚନ୍ଦନ ଅର୍ପଣ କରି ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉପହାର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବରେ ବିଭିନ୍ନ ବକ୍ତା ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ସମାଜ ଗଠନରେ ଶିକ୍ଷକଙ୍କ ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଶିକ୍ଷକମାନେ କେବଳ ଜ୍ଞାନର ଆଲୋକ ବାଣ୍ଟନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ସହ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମଧ୍ୟ ଅମୂଲ୍ୟ ଅବଦାନ ରଖନ୍ତି ବୋଲି ବକ୍ତାମାନେ କହିଥିଲେ।

ସାମୂହିକ ଗୁରୁପୂଜନ ମାଧ୍ୟମରେ ଶିକ୍ଷକ ସମାଜ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଏକ ଅନନ୍ୟ ଉଦାହରଣ ସୃଷ୍ଟି ହୋଇଥିଲା। ଉତ୍ସବରେ ଶିକ୍ଷକ-ଶିକ୍ଷୟିତ୍ରୀ, ଯୁବବର୍ଗ ଓ ରଣପୁରବାସୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ଓଡ଼ିଆ ପ୍ରଫେସର ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଗୁରୁଚରଣ ମହାପାତ୍ର, ନିବେଦିତା ମହାନ୍ତି, ପିନାକୀ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ |

କାର୍ଯ୍ୟକ୍ରମ ପରିଚାଳନାରେ ଅଭିଷେକ ସାମନ୍ତରାୟ, ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ଗଣେଶ୍ୱର ମାନଧାତା ଆଦି ସହଯୋଗ କରିଥିଲେ |

ମଞ୍ଚ ସଂଯୋଜକ ଭାବେ ଜ୍ୟୋତି ରଞ୍ଜନ ଦାଶ, ଗୁରୁ ବନ୍ଦନା ଅଜୟ କୁମାର ପ୍ରଧାନ ଗାନ କରିଥିବା ବେଳେ ଜ୍ୟୋତି ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.