ଓଡ଼ଗାଁରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ : ଯଦି ଶିକ୍ଷାର ଅନ୍ତ ନାହିଁ ତେବେ ଶିକ୍ଷକତା ଅନନ୍ତ କାଳ ପର୍ଯ୍ୟନ୍ତ ରହିବ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ଓଡ଼ଗାଁ ସ୍ତରୀୟ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବରେ ଅଂଶଗ୍ରହଣ କରିଥିବା ୦୪ଶହରୁ ଉର୍ଦ୍ଧ୍ବ ସେବା ନିବୃତ୍ତ ଶିକ୍ଷକ ମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶିର୍ବାଦ ଭିକ୍ଷା କରିବା ସହିତ ଫୁଲ,ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମର ଆବାହକ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ।ଯଦି ଶିକ୍ଷାର ଅନ୍ତ ନାହିଁ ତେବେ ଶିକ୍ଷକତା ଅନନ୍ତ କାଳ ପର୍ଯ୍ୟନ୍ତ ରହିବ ଏହାକୁ କେହି ଅସ୍ୱୀକାର କରିବେ ନାହିଁ।
ସରକାରୀ ସେବା ନିବୃତ ହେଲେ ମଧ୍ୟ ବର୍ତ୍ତମାନ ସମାଜରେ ନୈତିକ ମୂଲ୍ୟଯୁକ୍ତ ଶିକ୍ଷାର ଅଭାବ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ଶିକ୍ଷକ ମାନେ ଯଦି ମୁଣ୍ଡ ନଖେଳେଇବେ ତେବେ ସମାଜ ସୁଧିରିବାରେ ବିଳମ୍ବ ହେବ। ଯେଉଁ ମାନେ ସମସ୍ୟା ସୃଷ୍ଟି କରନ୍ତି ଅଥବା ଘଟଣା ଘଟାଇବାକୁ ସମର୍ଥନ ଯୋଗାଡ଼ କରନ୍ତି ସେମାନଙ୍କୁ ଚିହ୍ନଟ କରିବା ଦରକାର ଏବଂ ସୁସ୍ଥ ବର୍ତ୍ତମାନ ପ୍ରସ୍ତୁତ ପାଇଁ ଆଗେଇ ଆସିବା ଉଚିତ ବୋଲି ବିଧାୟକ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।ଗୁରୁପୂଜନ ପରମ୍ପରା ନୟାଗଡ଼ ବିଧାୟକଙ୍କ ଏକ ମହତ୍ବକାଂକ୍ଷୀ ବିଚାରକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଶଂସା କରିଥିବା ବେଳେ ଓଡ଼ଗାଁ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଅନେକ ପ୍ରେରଣାଦାୟୀ ବୋଲି କହିଥିଲେ।ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ,ବିଡିଓ ପ୍ରିତିବାଳା ରଣା,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଓଡ଼ଗାଁର ଖେଳ ମଣିଷ ଦିବାକର ନାୟକ,ବିଭୁପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ପୂର୍ବ ଏବଂ ବର୍ତ୍ତମାନର ଗୁରୁଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା ରଖିଥିଲେ।ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ଏବଂ ଶିକ୍ଷକ ରଞ୍ଜନ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ପ୍ରଧାନ ସଂଯୋଜନା କରିଥିଲେ।ଏତଦ୍ ବ୍ୟତୀତ କୁରାଳ ଗ୍ରାମ ପଞ୍ଚାୟତ ଓ ମାତୃଭୂମି କୁରାଳର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗୁରୁ ପୂଜନ ଉତ୍ସବରେ ୨୦ ଜଣରୁ ଉର୍ଦ୍ଧ ସେବା ନିବୃତ୍ତ ଏବଂ ଅନେକ ସେବାରତ ଗୁରୁଜୀଙ୍କୁ ଅନୁରୂପ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ସହିତ ଓଡ଼ଗାଁ ବ୍ଳକ ଓ ଏନଏସିର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁଦିବସ ପାଳନ ହୋଇଥିଲା।
