ପିଲିଅନ୍ ରାଇଡର ହେଲମେଟ୍ ଜୋରିମାନା ପ୍ରତ୍ୟାହାର ଓ ବ୍ୟାପକ ସଚେତନତା ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

Independence

ବ୍ରହ୍ମପୁର : ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ବାଇକ୍ ପଛରେ ବସୁଥିବା ବ୍ୟକ୍ତି (ପିଲିଅନ୍ ରାଇଡର) ହେଲମେଟ୍ ନ ପିନ୍ଧିବା କାରଣରୁ ଆଇଇଏମ୍‌ଏସ୍ (IEMS) କ୍ୟାମେରା ଜରିଆରେ କଟାଯାଉଥିବା ୧୦୦୦ ଟଙ୍କା ଜୋରିମାନା ତୁରନ୍ତ ବାତିଲ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି। ଏହି ପରିପ୍ରେକ୍ଷୀରେ ମଞ୍ଚ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପରିବହନ କମିଶନରଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଜୀବନ ରକ୍ଷା ପାଇଁ ହେଲମେଟ୍ ବ୍ୟବହାର ଅତ୍ୟନ୍ତ ଆବଶ୍ୟକ ଏବଂ ଏଥିପାଇଁ ସମସ୍ତଙ୍କ ସହମତି ରହିଛି। ମାତ୍ର ଓଡ଼ିଶାର ଅଧିକାଂଶ ଗରିବ, କୃଷକ, ଦିନମଜୁରିଆ ଏବଂ ବେକାର ଯୁବକ ତଥା ଛାତ୍ରଛାତ୍ରୀଙ୍କ ଉପରେ ଏକାଥରକେ ୧୦୦୦ ଟଙ୍କାର ଜୋରିମାନା ଲଦିବା ଦ୍ୱାରା ସେମାନଙ୍କ ଉପରେ ଭାରୀ ଆର୍ଥିକ ବୋଝ ପଡ଼ୁଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୌଣସି ପୂର୍ବ ସୂଚନା ନ ଦେଇ ସମଗ୍ର ରାଜ୍ୟରେ ଏକତରଫା ଭାବେ ଏହି ନିୟମ ଲାଗୁ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ। ଭୁବନେଶ୍ୱର ଏବଂ କଟକ ଭଳି ସହରର ଢାଞ୍ଚାରେ ସାରା ରାଜ୍ୟରେ ବିନା ପ୍ରସ୍ତୁତିରେ ଏଭଳି କଠୋର ଆର୍ଥିକ ଦଣ୍ଡ ବିଧାନକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ।

ଗାଡ଼ି ଚାଳକ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧି ନ ଥିବା ଯୋଗୁଁ ସ୍ୱୟଂକ୍ରିୟ ଭାବେ ଚାଲାଣ କଟାଯାଉଛି। ଏପରି ସ୍ଥିତିରେ ସିଧାସଳଖ ଜୋରିମାନା ଆଦାୟ କରିବା ଅପେକ୍ଷା ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଅଧିକ ଜରୁରୀ ବୋଲି ମଞ୍ଚ ମତବ୍ୟକ୍ତ କରିଛି।

ଏହି ଅବସରରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଚାରିଗୋଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା—ସମସ୍ତ ପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜୋରିମାନା ରାଶି ହ୍ରାସ କରାଯାଇ ସର୍ବନିମ୍ନ ୧୦୦ ଟଙ୍କା ଧାର୍ଯ୍ୟ କରାଯାଉ ଏବଂ ପ୍ରଥମ ପର୍ଯ୍ୟାୟରେ ଗାଡ଼ି ମାଲିକଙ୍କୁ ଚେତାବନୀ ଦିଆଯାଉ, ଗ୍ରାମାଞ୍ଚଳ ସମେତ ରାଜ୍ୟବ୍ୟାପୀ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଚଲାଯାଉ, ଭୁଲ୍ ଇ-ଚାଲାଣ ଓ ଫଟୋ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଗଠନ କରାଯାଉ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ପାଇଁ ଜୋରିମାନା ବଦଳରେ କାଉନସେଲିଂ ବ୍ୟବସ୍ଥା ଗ୍ରହଣ କରାଯାଉ। ସଡ଼କ ସୁରକ୍ଷାର ମୂଳ ଲକ୍ଷ୍ୟ ଏବଂ ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିୟମର ପୁନର୍ବିଚାର କରିବେ ବୋଲି ମଞ୍ଚ ଆଶା ପ୍ରକାଶ କରିଛି।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମଞ୍ଚର ଆବାହକ ତଥା ଆଇନଜୀବୀ ଅବନୀ ଗୟା, ସଭାପତି ଗଗନ ଚାନ୍ଦ ମଲ୍ଲିକ, ସମାଜସେବୀ ମନୋଜ କୁମାର ତରାଇ, ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ, ସଂଗଠକ ଗଗନ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାଥ ପଣ୍ଡା, ଯୁବନେତା କାହ୍ନୁ ଚରଣ ପାତ୍ର, ଆର୍. ସତ୍ୟ ନାରାୟଣ ରାଓ, ବିଜୟ କୁମାର ପାଢ଼ୀ, ଗୁଣନିଧି ବେହେରା, ମହେଶ୍ୱର ବାଡ଼ତ୍ୟା, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଶୋକ କୁମାର ଦଳାଇ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ ଏବଂ ସାମ୍ବାଦିକ ଜୟରାମ ମହାରଣା ପ୍ରମୁଖ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ।

ad-week
Leave A Reply

Your email address will not be published.