‘ସ୍ୱଚ୍ଛ କୋରାପୁଟ’ ପାଇଁ ସାମୂହିକ ସଫେଇ ଅଭିଯାନ ଓ ସଚେତନତା ରାଲି ଅନୁଷ୍ଠିତ

Independence

କୋରାପୁଟ : ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ସହରରେ ଏକ ବିଶାଳ ସାମୂହିକ ସ୍ୱଚ୍ଛତା ଅଭିଯାନ ଓ ରାଲି ଅନୁଷ୍ଠିତ ହୋଇଯାଇଛି। ‘ପରିବେଶ ସଚେତନତା ଅଭିଯାନ-୨୦୨୬’ ଅଧୀନରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କୋରାପୁଟ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରାତଃ ୮ ଘଟିକାରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସଚେତନତା ପଦଯାତ୍ରା ବାହାରିଥିଲା। କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ମିଳିତ ଭାବେ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ। ଏଥିରେ ପୌର ପରିଷଦର କାଉନସିଲର, ପୌରପାଳିକାର ସ୍ୱଚ୍ଛତା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା, ‘ପ୍ରଗତି’ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ୱଚ୍ଛତା କର୍ମଚାରୀ, ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ତଥା ସ୍ଥାନୀୟ ବାସିନ୍ଦାଙ୍କ ସମେତ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇଥିଲେ।

ରାଲି ପରେ କୋରାପୁଟ ବସ୍‌ଷ୍ଟାଣ୍ଡ ଏବଂ ନିକଟସ୍ଥ ମାର୍କେଟ୍ କମ୍ପ୍ଲେକ୍ସ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଥିଲା। ଅଭିଯାନରେ ସାମିଲ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ନିଜେ ହାତରେ ଆବର୍ଜନା ସଫା କରି ସ୍ୱଚ୍ଛତାକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ କୋରାପୁଟ ଟାଉନ୍ ହଲ୍ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦୀପେଶ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ବକ୍ତାମାନେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍) ବର୍ଜନ କରିବା, ଉତ୍ସସ୍ଥଳରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ, ଘରୋଇ ଖତ (କମ୍ପୋଷ୍ଟ) ପ୍ରସ୍ତୁତି ଏବଂ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱଚ୍ଛତା କେବଳ ସରକାରୀ ପ୍ରଶାସନର କାର୍ଯ୍ୟ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହା ସହିତ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନର ବିକାଶ ପାଇଁ ସହରକୁ ସ୍ୱଚ୍ଛ ରଖିବା ନିହାତି ଜରୁରୀ ବୋଲି କୁହାଯାଇଥିଲା।

ଏହି ଅବସରରେ ସିପିସିବି (CPCB) ପ୍ରମାଣିତ ପରିବେଶ ଅନୁକୂଳ କମ୍ପୋଷ୍ଟେବଲ୍ କ୍ୟାରି ବ୍ୟାଗ୍ ପ୍ରସ୍ତୁତ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ଏମ୍/ଏସ୍ ଅମାୟରା ଏଣ୍ଟରପ୍ରାଇଜେସ୍‌ର ମାଲିକ ଏ.ସି. ମୁନୀରଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ‘ମିଶନ୍ ଲାଇଫ୍’ (Mission LiFE) ଅଧୀନରେ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ପାଇଁ ଶପଥ ପାଠ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

ad-week
Leave A Reply

Your email address will not be published.