ଥାନା ନିକଟରୁ ଲକ୍ଷାଧିକ ଟଙ୍କାର ଲୁଟ୍ : ବିରମିତ୍ରପୁରରେ ବିଏସଏଲ କର୍ମଚାରୀଙ୍କ ଘରୁ ସୁନାଗହଣା ସଫା

ବିରମିତ୍ରପୁର, ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ବିଏସଏଲ (BSL) କର୍ମଚାରୀଙ୍କ ବନ୍ଦ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ଥାନାଠାରୁ ମାତ୍ର ୨୦୦ରୁ ୩୦୦ ମିଟର ଦୂରରେ ଏଭଳି କାଣ୍ଡ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିରମିତ୍ରପୁରର ବିଏସଏଲ କର୍ମଚାରୀ ସାବିର ହୁସେନ ଗତ ୫ ଦିନ ଧରି ପରିବାର ସହ କୋଲକାତା ଯାଇଥିଲେ। ଆଜି ବୁଧବାର ସକାଳେ ସେ ପରିବାର ସହ ଫେରିବା ପରେ ଘରର ଦୃଶ୍ୟ ଦେଖି ହତବାକ୍ ହୋଇଯାଇଥିଲେ। ଘରର ପଛପଟ ଦ୍ୱାର ଭଙ୍ଗା ଯାଇଥିବା ବେଳେ ଭିତରେ ଥିବା ପାଞ୍ଚଟି ଆଲମାରିକୁ ଦୁର୍ବୃତ୍ତମାନେ ଭାଙ୍ଗି ସେଥିରୁ ସମସ୍ତ ମୂଲ୍ୟବାନ ଜିନିଷ ଲୁଟି ନେଇଥିଲେ। ଘରର ସମସ୍ତ ଜିନିଷପତ୍ର ବିଛାଡ଼ି ହୋଇ ପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଚୋରମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସାବିରଙ୍କ ଘରକୁ ଟାର୍ଗେଟ କରିଥିଲେ। ସେମାନେ ସାମ୍ନା ପଟୁ ନଆସି ଘରର ପଛ ପାର୍ଶ୍ୱରେ ଥିବା ଭେଣ୍ଟିଲେଟର ଦେଇ ଭିତରକୁ ପ୍ରବେଶ କରିଥିଲେ ଏବଂ ପରେ ପଛ ଦ୍ୱାର ଭାଙ୍ଗି ଚୋରି କରିଥିବା ଜିନିଷ ସହ ଚମ୍ପଟ ମାରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ବିରମିତ୍ରପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନା ନିକଟରେ ଏଭଳି ସାହସିକ ଚୋରି ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି ଅଭିଯାନକୁ ତୀବ୍ର କରାଯାଇଛି।

ad-week
Leave A Reply

Your email address will not be published.