ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ “ଦିଶା’ ସମାବର୍ତ୍ତନ ଉତ୍ସବ

  • ୧୫ତମ ସଂସ୍କରଣରେ ସାମିଲ ହେଲେ ୫୨୧ଜଣ ମହିଳା

ବ୍ରହ୍ମପୁର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ‘ଦିଶା’ ସମାବର୍ତ୍ତନ ଉତ୍ସବର ୧୫ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ୬ଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ୫୨୧ ଜଣ ମହିଳା ପରିବର୍ତ୍ତନକାରୀ (ଚେଞ୍ଜମେକର୍ସ) ଏକାଠି ହୋଇଥିଲେ।

କାର୍ଯ୍ୟକ୍ରମରେ କଳିଙ୍ଗନଗରରୁ ୧୪୨ ଜଣ ମହିଳାଙ୍କ ସମେତ ସୁକିନ୍ଦାରୁ ୬୧, ବ୍ରାହ୍ମଣୀପାଳରୁ ୩୯, ଗୋପାଳପୁରରୁ ୧୫୨, ଆଠଗଡ଼ରୁ ୪୦ ଏବଂ ମେରାମଣ୍ଡଳୀରୁ ୮୭ ଜଣ ମହିଳା ସାମିଲ ହୋଇଥିଲେ।
ଏହି ସମାବର୍ତ୍ତନ ଉତ୍ସବର ମୂଳ ବିଷୟବସ୍ତୁ ଥିଲା ‘ସଚେତନ ଓ ସମାନତାଭିତ୍ତିକ ସମାଜ’। ଏହି ମଞ୍ଚ ମାଧ୍ୟମରେ ମହିଳା ସ୍ନାତକଧାରୀମାନେ ଏକ ସଚେତନ, ସମାବେଶୀ ଓ ସମାନତାଭିତ୍ତିକ ସମାଜ ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ। ଏଥିସହ ନିଜ ନିଜର ବ୍ୟକ୍ତିଗତ ଯାତ୍ରା ଏବଂ ପରିବାର ଓ ସମାଜରେ ଆଣିଥିବା ସକରାତ୍ମକ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଅଧ୍ୟାପିକା ଅସୀମା ସାହୁ, ଟାଟା ଷ୍ଟିଲ୍ ଏସ୍‌ଇଜେଡ୍‌ର ଚିଫ୍ ଫାଇନାନସିଆଲ ଅଫିସର ମନୀଷ ଶ୍ରୀବାସ୍ତବ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଗୋପାଳପୁର ୟୁନିଟ୍ ହେଡ୍ ଡ଼ ଜୟନ୍ତ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଡ. ପାଣିଗ୍ରାହୀ, ଓଡ଼ିଶାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦୀର୍ଘକାଳୀନ ଭାଗୀଦାରୀ ଏବଂ ସାମାଜିକ-ଆର୍ଥିକ ବିକାଶ କ୍ଷେତ୍ରରେ ଏହାର ନିରନ୍ତର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ୨୦୩୦ ମସିହା ସୁଦ୍ଧା ‘ଦିଶା’ କାର୍ଯ୍ୟକ୍ରମକୁ ୨୫,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟକୁ ସେ ଦୋହରାଇଥିଲେ। ନିମନ୍ତ୍ରିତ ଅତିଥିଗଣ “ଦିଶା’ ସ୍ନାତକଧାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସକ୍ରିୟ ସହଭାଗିତା, ନେତୃତ୍ୱ ଓ ସାମୂହିକ ପ୍ରଚେଷ୍ଟା ମାଧ୍ୟମରେ ସମାଜର ବିକାଶରେ ନିରନ୍ତର ଯୋଗଦାନ ଦେବାକୁ ଉତ୍ସାହିତ କରିଥିଲେ।

ଆର୍ଥିକ ବର୍ଷ ୨୦୨୨ରୁ ଆରମ୍ଭ ହୋଇଥିବା ‘ଦିଶା’ ହେଉଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଏକ ସାମାଜିକ ପଦକ୍ଷେପ। ଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସାମାଜିକ, ରାଜନୈତିକ ଏବଂ ଡିଜିଟାଲ୍ ସଶକ୍ତୀକରଣ ମାଧ୍ୟମରେ ସମାଜର ନେତୃତ୍ୱ ନେଉଥିବା ପରିବର୍ତ୍ତନକାରୀ ଭାବେ ଗଢ଼ି ତୋଳିବା। ୫ବର୍ଷ ମଧ୍ୟରେ ୬,୦୦୦ମହିଳାଙ୍କୁ ଆତ୍ମବିଶ୍ୱାସୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଲକ୍ଷ୍ୟ ଅତିକ୍ରମ କରି ୬,୮୦୦ରେ ପହଞ୍ଚିଛି।

ଏହି ସଫଳତାକୁ ଆଗକୁ ନେଇ, ୨୦୨୬ରୁ ୨୦୩୧ ମସିହା ପାଇଁ ‘ଦିଶା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, ଯାହାର ଲକ୍ଷ୍ୟ ଆଉ ୬,୦୦୦ ମହିଳାଙ୍କୁ ପରିବର୍ତ୍ତନର ସାରଥୀ ଭାବେ ଗଢ଼ି ତୋଳିବା। ଏହି ଦ୍ୱିତୀୟ ପର୍ଯ୍ୟାୟରେ ମହିଳାମାନଙ୍କର ନେତୃତ୍ୱ, ଯୋଗାଯୋଗ, ନିଷ୍ପତ୍ତି ନେବାର କ୍ଷମତା ଏବଂ ଡିଜିଟାଲ୍ ଦକ୍ଷତା ବୃଦ୍ଧି କରିବା ସହ ଅଧିକାର, ସରକାରୀ ସୁବିଧା, ଲିଙ୍ଗଗତ ସମାନତା, ଗ୍ରାମ୍ୟ ବିକାଶ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନରେ ସକ୍ରିୟ ଭାଗୀଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ad-week
Leave A Reply

Your email address will not be published.