ଉମରକୋଟ/ରାଇଘର : ପ୍ରକୃତିର ଅଦ୍ଭୁତ ଖେଳ ମଧ୍ୟରେ ଆଜି ରାଇଘର ଅଞ୍ଚଳରେ ବର୍ଷାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଦୀର୍ଘ ଦିନର ବର୍ଷା ଅଭାବ ଯୋଗୁଁ ଚାଷୀଙ୍କ ସମେତ ସାଧାରଣ ଲୋକେ ଘୋର ଚିନ୍ତାରେ ରହିଥିବା ବେଳେ ଆଜିର ବର୍ଷା ସମସ୍ତଙ୍କ ମନରେ ଆଶା ଓ ଉତ୍ସାହ ଭରିଦେଇଛି।
ସକାଳୁ ଆକାଶରେ କଳାହାଣ୍ଡିଆ ମେଘର ଲୁଚକାଳି ଲାଗି ରହିଥିବା ବେଳେ ଅପରାହ୍ନରେ ହଠାତ୍ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ଏହି ବର୍ଷା ଯୋଗୁଁ ରାଇଘର ଅଞ୍ଚଳର ଶୁଖିଲା ପରିବେଶ ଏକଦମ୍ ସତେଜ ହୋଇଉଠିଛି। ମାଟିର ମହକ ସାଙ୍ଗକୁ ଥଣ୍ଡା ପବନ ଲୋକଙ୍କୁ ଗରମ ଓ ଗୁଳୁଗୁଳିରୁ ମୁକ୍ତି ଦେବା ସହ ଏକ ଆଶ୍ୱସ୍ତିକର ଅନୁଭୂତି ପ୍ରଦାନ କରିଛି। ତେବେ ପ୍ରବଳ ପବନ ଓ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧାରିଆ ପରିବେଶ ସୃଷ୍ଟି ହେବାରୁ ଲୋକେ ଘରମୁହାଁ ହୋଇଥିଲେ ଏବଂ ରାସ୍ତାଘାଟ କିଛି ସମୟ ପାଇଁ ଜନଶୂନ୍ୟ ହୋଇପଡ଼ିଥିଲା।
ଏହି ବର୍ଷାକୁ ନେଇ ଚାଷୀ ସମାଜ ମଧ୍ୟରେ ସବୁଠାରୁ ଅଧିକ ଖୁସି ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଖରା ଯୋଗୁଁ ଚାଷଜମି ଶୁଖିଯାଇ ଆର୍ଦ୍ରତା କମି ଯାଇଥିଲା, ଯାହାକି ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି କରିଥିଲା। କିନ୍ତୁ ଆଜିର ବର୍ଷା ପରେ ଚାଷୀମାନେ ସ୍ୱସ୍ତିର ନିଶ୍ୱାସ ନେଇଛନ୍ତି। ଆଗାମୀ ଦିନରେ ଆହୁରି ଭଲ ବର୍ଷା ହେଲେ ଚାଷ କାର୍ଯ୍ୟ ପୁଣି ସ୍ୱାଭାବିକ ହୋଇପାରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। କେବେ ଟାଣ ଖରା ତ କେବେ ହଠାତ୍ ବର୍ଷା— ପ୍ରକୃତିର ଏହି ଖିଆଲୀ ରୂପ ଭିତରେ ଆଜିର ବର୍ଷା ଉମରକୋଟ ତଥା ରାଇଘର ଅଞ୍ଚଳବାସୀଙ୍କ ପାଇଁ ଏକ ସଞ୍ଜୀବନୀ ସାବ୍ୟସ୍ତ ହୋଇଛି।
