ଲଗାଣ ବର୍ଷାରେ ବୁଡ଼ିଲା ପୋଟେରୁ ବ୍ରିଜ୍‌, ୩୨୬ ନଂ ଜାତୀୟ ରାଜପଥ ଠପ୍‌


୫ଟି ତଳୂଆ ବ୍ରିଜ୍ ଜଲ ମଗ୍ନ ହେଲେ ୪୦ରୁ ଅଧିକ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା

ମାଲକାନଗିରି, ୧୧/୦୯: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ କିଛି ଦିନ ଧରି ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାରୁ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥର ପୋଟେରୁ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବ୍ରିଜ୍‌ ଉପରେ ପ୍ରାୟ ଏକ ଫୁଟ ଉଚ୍ଚରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରିଜ୍‌ର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିବା ବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲା ପ୍ରଶାସନର ବର୍ଷାପାତ ତଥ୍ୟ ଅନୁଯାୟୀ, ୧୦ ତାରିଖ ସକାଳ ୮ଟାରୁ ୧୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୫୨୪.୮ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ବର୍ଷାପାତ ୭୪.୯୭ ମିଲିମିଟର ରହିଛି। ଏହି ସମୟରେ ମାଲକାନଗିରିରେ ୧୨୨.୬, ମାଥିଲିରେ ୧୧୦, କୋରୁକୋଣ୍ଡାରେ ୯୪, ଖଇରପୁଟରେ ୮୨, ଚିତ୍ରକୋଣ୍ଡାରେ ୬୯, କାଲିମେଳାରେ ୩୫ ଓ ପଡ଼ିଆରେ ୧୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ପୋଟେରୁ, କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ଏମ୍‌ଭି-୭, ଏମ୍‌ଭି-୭୨ ଓ ପାଙ୍ଗାମ୍‌ ବ୍ରିଜ୍‌ ନିକଟରେ ଦୀର୍ଘଦିନ ଧରି ଉଚ୍ଚ ବ୍ରିଜ୍‌ ନିର୍ମାଣ କାମ ଚାଲୁ ରହିଛି। ଲଗାଣ ବର୍ଷା ସମୟରେ ଏହି ସ୍ଥାନଗୁଡ଼ିକରେ ଯାତାୟାତ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ପ୍ରକାଶ ପାଇଛି।

ବର୍ଷା ଓ ବନ୍ୟାଜଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଟେରୁ ବ୍ରିଜ୍‌ ଉପରେ ଯାତାୟାତ ନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନେବା ସହ ଅଟକିଥିବା ଯାତ୍ରୀ ଓ ଯାନବାହନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ad-week
Leave A Reply

Your email address will not be published.