ଗୁଡ଼ାରୀ : ଲଗାଣ ବର୍ଷା ଯୋଗୁଁଁ ଗୁଡ଼ାରୀ ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ଜଳସ୍ରୋତ ବଢ଼ିବାରେ ଲାଗିଛି। ଗୁରୁବାର ରାତିଠାରୁ ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କ ସମେତ ଚାଷୀଙ୍କ ଚିନ୍ତା ବଢ଼ିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ନଦୀର ଜଳସ୍ତର ଆହୁରି ବଢି ନଦୀକୂଳ ଗାଁ ଓ ଚାଷଜମି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ନଦୀକୂଳରେ ବହୁ ଧାନଜମି ସହ ପନିପରିବା ଓ ମକା ଚାଷ ହୋଇଥିବାରୁ ଚାଷୀଙ୍କ ଚିନ୍ତା ଅଧିକ ବଢ଼ିଛି। ଅଧିକ ବର୍ଷା ହେଲେ ନଦୀପାଣି ଚାଷଜମିରେ ପଶି ଫସଲ ନଷ୍ଟ ହେବାର ଭୟ ରହିଛି। ଅନ୍ୟପକ୍ଷରେ ବର୍ଷା ଅଭାବ ହେଲେ ମଧ୍ୟ ଚାଷ ପାଇଁ ଆବଶ୍ୟକ ଜଳକୁ ନେଇ ଚାଷୀ ଚିନ୍ତିତ ବୋଲି କହିଛନ୍ତି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗୁଡ଼ାରୀର ପାଣିପାଗ ବିଭାଗ କାର୍ଯ୍ୟାଳୟରେ ବର୍ତ୍ତମାନ କୌଣସି କର୍ମଚାରୀ ନଥିବାରୁ ଅଞ୍ଚଳରେ କେତେ ପରିମାଣର ବର୍ଷା ହେଉଛି, ତାହାର ସଠିକ୍ ତଥ୍ୟ ମିଳିପାରୁନାହିଁ। ପୂର୍ବରୁ ନଦୀର ଜଳସ୍ତର ବଢ଼ିଲେ ଏଠାରୁ ଲୋକଙ୍କୁ ସତର୍କ କରାଯାଉଥିଲା। ଏବେ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ବର୍ଷାର ପରିମାଣ ଓ ନଦୀର ଜଳପ୍ରବାହ ସମ୍ପର୍କରେ ସ୍ଥାନୀୟ ସ୍ତରରେ ସଠିକ୍ ଆକଳନ କରିବା ନେଇ ପ୍ରଶ୍ନ ଉଠିଛି। ଏପଟେ ପ୍ରବଳ ବର୍ଷାରେ ଗୁଡ଼ାରୀ ସହରର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ଲୋକଙ୍କ ସମସ୍ୟା ବଢ଼ାଉଛି।
ସହରର ଅଧିକାଂଶ ସ୍ଥାନରେ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇନପାରି ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ଜମି ରହୁଛି। ଫଳରେ ଅନେକ ସ୍ଥାନରେ ବନ୍ୟା ସଦୃଶ ପରିସ୍ଥିତି ଉପୁଜୁଛି। ବଂଶଧାରାର ଜଳସ୍ତର ବଢ଼ିଲେ ସହରର ଡ୍ରେନ୍ଗୁଡ଼ିକର ପାଣି ନଦୀକୁ ନିଷ୍କାସିତ ହେବାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଫଳରେ ବର୍ଷାଜଳ ଓ ଡ୍ରେନ୍ ପାଣି ସହର ମଧ୍ୟରେ ଜମି ରହି ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ପ୍ରତିବର୍ଷ ବର୍ଷା ସମୟରେ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବଂଶଧାରା ନଦୀର ଜଳସ୍ତର ଓ ବର୍ଷା ପରିମାଣ ଉପରେ ନିୟମିତ ନଜର ରଖିବା, ନଦୀକୂଳିଆ ଅଞ୍ଚଳରେ ଆଗୁଆ ସତର୍କତା ଜାରି କରିବା ସହ ଗୁଡ଼ାରୀ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ସ୍ଥାୟୀ ସୁଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
