ବାଲିଗୁଡ଼ା : ହାତରେ ସଚେତନତାର ବାର୍ତ୍ତା, ମୁହଁରେ ସାକ୍ଷରତାର ସ୍ଲୋଗାନ ଏବଂ ମନରେ ଏକ ସୁନ୍ଦର ସମାଜ ଗଠନର ସଂକଳ୍ପ। ଏଭଳି ଏକ ଶିକ୍ଷାମୟ ପରିବେଶରେ ବାଲିଗୁଡ଼ା ସହରରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଜନସଚେତନତା ପଦଯାତ୍ରା। ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ବରଂ ଏହା ମଣିଷକୁ ସଚେତନ, ସ୍ୱାବଲମ୍ବୀ ଓ ଦାୟିତ୍ୱବାନ କରିବାର ଏକ ଶକ୍ତିଶାଳୀ ମାଧ୍ୟମ—ଏହି ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲା ପଦଯାତ୍ରା। ବାଲିଗୁଡ଼ା ନୁଆସାହି ସ୍ଥିତ ପାଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପରିସରରୁ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହରର ବିଭିନ୍ନ ଅଞ୍ଚଳ ଦେଇ ଅଗ୍ରସର ହୋଇଥିଲା। ପଦଯାତ୍ରାରେ ସାକ୍ଷରତାର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଓ ନିରକ୍ଷରତା ଦୂରୀକରଣ ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ପଦଯାତ୍ରା ଶେଷରେ ବିଦ୍ୟାପୀଠ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ପ୍ରଦୀପ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅତିଥି ମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହ ଯୋଡ଼ିବା ଏବଂ ନିରକ୍ଷରତା ଦୂର କରିବାରେ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସାକ୍ଷରତାର ଆଲୋକ ଯେତେ ବ୍ୟାପକ ହେବ, ସମାଜ ସେତେ ଅଧିକ ସଚେତନ ଓ ସଶକ୍ତ ହେବ। ତେଣୁ ‘ଉଲ୍ଲାସ’ ଭଳି ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ସାକ୍ଷର ଓ ସଚେତନ ଭାରତ ଗଠନ ଦିଗରେ ଏକ ସାମୂହିକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା।
