ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଜୁନପୁଟ ଠାରେ ଏକ ନୂତନ ତଥା ଅତ୍ୟାଧୁନିକ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବୃହତ୍ ପ୍ରକଳ୍ପ ପାଇଁ ବିଧିବଦ୍ଧ ମଞ୍ଜୁରୀ ମଧ୍ୟ ମିଳିସାରିଛି ।

ସୂଚନା ଅନୁଯାୟୀ, ଚାନ୍ଦିପୁର ଘାଟି ଠାରୁ ସମୁଦ୍ର କୂଳେ କୂଳେ ପ୍ରାୟ ୭୦ କିଲୋମିଟର ଦୂରରେ ଦୀଘା ନିକଟସ୍ଥ ଜୁନପୁଟ୍ ଗ୍ରାମରେ ଏହି ସେଣ୍ଟର ସ୍ଥାପନ କରାଯିବ । ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବର୍ତ୍ତମାନ ଦ୍ରୁତ ଗତିରେ ବିକାଶ ଲାଭ କରୁଛି । ଦେଶର ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି କେବଳ ଚାନ୍ଦିପୁର କିମ୍ବା ଭଦ୍ରକର ଅବଦୁଲ କଲାମ ଦ୍ୱୀପ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରି ଅନ୍ୟ ଏକ ବିକଳ୍ପ ଘାଟିର ନିହାତି ଆବଶ୍ୟକତା ରହିଥିଲା । ଏହି ନୂଆ କେନ୍ଦ୍ରରେ ମୁଖ୍ୟତଃ ଭୂପୃଷ୍ଠରୁ ଆକାଶକୁ ଏବଂ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରାଯିବ ।

ବର୍ତ୍ତମାନ ଚାନ୍ଦିପୁରସ୍ଥିତ ଆଇଟିଆରରେ ବର୍ଷ ତମାମ ବିଭିନ୍ନ ପରୀକ୍ଷଣ ଲାଗି ରହୁଛି । କିନ୍ତୁ ଏଠାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଜନବସତି । ଯେତେବେଳେ ବି କୌଣସି ବଡ଼ କ୍ଷେପଣାସ୍ତ୍ରର ପରୀକ୍ଷଣ ହୁଏ, ସେତେବେଳେ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ୍‌ର ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧରେ ରହୁଥିବା ହଜାର ହଜାର ସ୍ଥାନୀୟ ଲୋକଙ୍କୁ ସାମୟିକ ଭାବେ ଘରଦ୍ୱାର ଛାଡ଼ି ସ୍ଥାନାନ୍ତର ହେବାକୁ ପଡ଼ିଥାଏ । ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଆର୍ଥିକ କ୍ଷତି ମଧ୍ୟ ସହିଥାନ୍ତି ।

ଅନେକ ସମୟରେ ଏହି କାରଣରୁ ପରୀକ୍ଷଣ ପ୍ରକ୍ରିୟା ବିଳମ୍ବିତ ହୋଇଥାଏ। ତେବେ ଜୁନପୁଟ୍ ଅଞ୍ଚଳରେ ଜନବସତି ଖୁବ୍ କମ୍ ଥିବାରୁ ଏବଂ ସମୁଦ୍ର ତଟର ଭୌଗୋଳିକ ସ୍ଥିତି ଅନୁକୂଳ ଥିବାରୁ ଏହା ପରୀକ୍ଷଣ ପାଇଁ ଏକ ଉପଯୁକ୍ତ ସ୍ଥାନ ବିବେଚିତ ହୋଇଛି ।

ପଶ୍ଚିମବଙ୍ଗ ସରକାର ଏହି ପ୍ରକଳ୍ପ ପାଇଁ ଡିଆରଡିଓକୁ ଆବଶ୍ୟକୀୟ ଜମି ହସ୍ତାନ୍ତର କରିସାରିଛନ୍ତି ଏବଂ ପ୍ରାଥମିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଦିନରେ ଏହି ନୂଆ ପରୀକ୍ଷଣ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ, ତାହା ଚାନ୍ଦିପୁର ପାଇଁ ଏକ ବଡ଼ ସହାୟକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ଭାରତୀୟ ସେନାକୁ ଠିକ୍ ସମୟରେ ନୂତନ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.