ମୃତ୍ୟୁକୁ ନିମନ୍ତ୍ରଣ ଦେଉଛି ୪୪୦ ଭୋଲ୍ଟ୍‌ର ଖୋଲା ବିଦ୍ୟୁତ୍ ତାର

ଏମ୍‌ଭି-୬୬ ନିକଟରେ ମାତ୍ର ୭ ଫୁଟ ଉଚ୍ଚରେ ଝୁଲୁଛି ତାର, ବାଉଁଶ ପତ୍ର ଛୁଇଁଲେ ଲାଗୁଛି ବିଦ୍ୟୁତ୍ ଝଟକା ।

ମାଲକାନଗିରି ୧୩/୯ : ରାସ୍ତା ପାର୍ଶ୍ୱରେ ମାତ୍ର ପ୍ରାୟ ୭ ରୁ ୮ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚମାନର ଖୋଲା ବିଦ୍ୟୁତ୍ ତାର। ତାର ନିକଟରେ ଥିବା ବାଉଁଶ ଗଛର ପତ୍ର କିମ୍ବା ଡାଳ ତାର ସଂସ୍ପର୍ଶରେ ଆସିଲେ ବିଦ୍ୟୁତ୍ ପ୍ରବାହିତ ହେଉଥିବା ଅଭିଯୋଗ। ଏପରିକି ରାସ୍ତାରେ ଯାଉଥିବା ଗାଡ଼ି କିମ୍ବା ମୋଟରସାଇକେଲ୍ ଚାଳକଙ୍କ ଦେହରେ ବାଉଁଶ ପତ୍ର ବା ଡାଳ ବାଜିଲେ ବିଦ୍ୟୁତ୍ ଝଟକା ଲାଗୁଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୬୬ ନିକଟ ଏନ୍‌ଏଚ୍‌-୩୨୬ ପାର୍ଶ୍ୱରେ ଏଭଳି ବିପଦଜନକ ପରିସ୍ଥିତି ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ତାର ଅତ୍ୟନ୍ତ କମ୍ ଉଚ୍ଚତାରେ ରହିଥିବା ବେଳେ ଏଥିରେ ୪୪୦ ଭୋଲ୍ଟ୍ ବିଦ୍ୟୁତ୍ ପ୍ରବାହିତ ହେଉଛି। ରାସ୍ତାରେ ଦୈନିକ ଶତାଧିକ ଗାଡ଼ି ଓ ମୋଟରସାଇକେଲ୍ ଯାତାୟାତ କରୁଥିବାରୁ ଏହା ଯେକୌଣସି ସମୟରେ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ ବୋଲି ଲୋକେ ଆଶଙ୍କା କରୁଛନ୍ତି।
ଏନେଇ ବିଦ୍ୟୁତ୍ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ରବିବାର ବିଭାଗୀୟ କର୍ମଚାରୀଙ୍କ ଗାଡ଼ି ଘଟଣାସ୍ଥଳ ଦେଇ ଯାଇଥିଲେ ମଧ୍ୟ ବାଉଁଶ ଗଛ କାଟିବା କିମ୍ବା ବିଦ୍ୟୁତ୍ ତାରକୁ ସୁରକ୍ଷିତ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବିପଦ ସମ୍ପର୍କରେ ଜଣାଇବା ପରେ ମଧ୍ୟ ଯଦି ସମୟୋଚିତ ପଦକ୍ଷେପ ନିଆନଯାଏ, ତେବେ କୌଣସି ଅଘଟଣ ଘଟିଲେ ଦାୟିତ୍ୱ କାହାର ରହିବ ବୋଲି ପ୍ରଶ୍ନ ଉଠିଛି। ଏକ ଛୋଟ ଅବହେଳା ମଧ୍ୟ ଏଠାରେ ମୂଲ୍ୟବାନ ଜୀବନ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।
ଏହି ଘଟଣାକୁ ନେଇ ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି ବାଉଁଶ ଗଛ ହଟାଇବା ସହ ତାରକୁ ନିରାପଦ ଉଚ୍ଚତାରେ ସ୍ଥାପନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ରବିବାର କାର୍ଯ୍ୟାଳୟ ବନ୍ଦ ଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.